କାଳବୈଶାଖୀ ଝଡ଼ରେ ସୁନ୍ଦରଗଡ଼ ଏବଂ ବରଗଡ଼ ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିରେ ଭୟାବହ କ୍ଷତି; ଦ୍ରୁତ ଗତିରେ ବିଦ୍ୟୁତ ସେବା ପୁନରୁଦ୍ଧାର ପାଇଁ ଟିପିଡବ୍ଲୁଓଡିଏଲର ତ୍ୱରିତ ପଦକ୍ଷେପ

ବରଗଡ଼/ସୁନ୍ଦରଗଡ଼, ୨୫/୦୫/୨୦୨୬ (ଓଡ଼ିଶା ସମାଚାର)-  ଆଜି (ସୋମବାର) ଅପରାହ୍ନରେ ଆସିଥିବା ଭୟଙ୍କର କାଳବୈଶାଖୀ ଝଡ଼ ଯୋଗୁଁ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ଝଡ଼ ଫଳରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିଡବ୍ଲୁଓଡିଏଲ୍)ର ବିତରଣ ଅଞ୍ଚଳରେ ଥିବା ବିଦ୍ୟୁତ ଭିତ୍ତିଭୂମି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି ।

ଦୃତ ଗତିରେ ପବନ ଓ ବର୍ଷା ଯୋଗୁଁ ଉଭୟ ଜିଲ୍ଲାରେ ୧୧ କେ.ଭି. ଓ ୩୩ କେ.ଭି. ଫିଡର ଲାଇନ୍ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଶତାଧିକ ଗଛ ଉପଡ଼ି ବିଦ୍ୟୁତ ତାର ଉପରେ ପଡ଼ିଥିବାରୁ ବିଭିନ୍ନ ସ୍ଥାନରେ ୧୩୦ରୁ ଅଧିକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡିଛି । ଏହା ସହ ୫୦୦ ସର୍କିଟ କିଲୋମିଟର (CKM)ରୁ ଅଧିକ ୧୧ କେ.ଭି. ଓ ୩୩ କେ.ଭି. ଫିଡର ଲାଇନ ଗୁରୁତର ଭାବେ ପ୍ରଭାବିତ ହୋଇଥିବାବେଳେ ଉଭୟ ଜିଲ୍ଲାରେ ପ୍ରାୟ ୧,୦୦୦ ଡିଷ୍ଟ୍ରିବ୍ୟୁସନ୍‌ ଟ୍ରାନ୍ସଫର୍ମର (DTR) ପ୍ରଭାବିତ ହୋଇଅଛି ।

ଏହି କ୍ଷୟକ୍ଷତି ଫଳରେ ରାଉରକେଲା ସହର ସମେତ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟି ହୋଇଅଛି । ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ୧.୧୭ ଲକ୍ଷରୁ ଅଧିକ ବିଦ୍ୟୁତ୍ ଗ୍ରାହକ ଏବଂ ବରଗଡ଼ ଜିଲ୍ଲାର ୫୦ ହଜାରରୁ ଅଧିକ ଗ୍ରାହକ ଏଥି ଯୋଗୁଁ ପ୍ରଭାବିତ ହୋଇଛନ୍ତି ।

ଝଡ଼ ପରେ ପରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ତୁରନ୍ତ ଏକ ଡିଜାଷ୍ଟର ରିସ୍ପନ୍ସ ପ୍ରୋଟୋକଲ୍‌ କାର୍ଯ୍ୟକରୀ କରାଯାଇ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଅଛି । ବିଦ୍ୟୁତ୍ ସେବାକୁ ଶୀଘ୍ର ସ୍ୱାଭାବିକ କରିବା ପାଇଁ କମ୍ପାନୀର ଲାଇନମେନ୍, ଅଧିକାରୀ ଓ ସହଯୋଗୀ ଦଳମାନେ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି ।

ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ଜରୁରୀକାଳୀନ ସେବା ସଂସ୍ଥାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ କରାଯାଉଅଛି । ପରିସ୍ଥିତିର ନିରନ୍ତର ନିରୀକ୍ଷଣ ଓ ଆବଶ୍ୟକ ସମ୍ପଦର ସଠିକ୍‌ ବ୍ୟବସ୍ଥାପନ ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ୨୪×୭ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ସ୍ଥାପନ କରାଯାଇଛି ।

ଝଡ଼ ଯୋଗୁଁ ବ୍ୟାପକ କ୍ଷତି ସତ୍ତ୍ୱେ ଟିପିଡବ୍ଲୁଓଡିଏଲ ପକ୍ଷରୁ ଦ୍ରୁତ ଗତିରେ ବିଦ୍ୟୁତ ସେବା ପୁନରୁଦ୍ଧାର ପାଇଁ ସମସ୍ତ ପ୍ରୟାସ ଜାରି ରହିଛି । ପର୍ଯ୍ୟାୟକ୍ରମେ ଅଧିକାଂଶ ପ୍ରଭାବିତ ଅଞ୍ଚଳରେ ମଧ୍ୟରାତ୍ର ସୁଦ୍ଧା ବିଦ୍ୟୁତ ସେବା ସ୍ୱାଭାବିକ ହେବାର ସମ୍ଭାବନା ରଖାଯାଇଅଛି ।

ପୁନରୁଦ୍ଧାର କାର୍ଯ୍ୟ ସମୟରେ ଧୈର୍ଯ୍ୟ ଓ ସହଯୋଗ ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର ସମସ୍ତ ବିଦ୍ୟୁତ୍ ଗ୍ରାହକମାନଙ୍କୁ ଅନ୍ତରିକ କୃତଜ୍ଞତା ଜଣାଯାଉଅଛି । ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୁରକ୍ଷିତ ଓ ଯଥାଶୀଘ୍ର ବିଦ୍ୟୁତ ସେବା ପୁନରୁଦ୍ଧାର ପାଇଁ ଟିପିଡବ୍ଲୁଡିଏଲ୍ ପ୍ରତିବଦ୍ଧ ରହିଛି ।

Leave a Reply

Your email address will not be published. Required fields are marked *