କଇଁ ଫୁଲ ତୋଳିବାକୁ ଯାଇ ଚାଲିଗଲା ୩ ଶିଶୁଙ୍କ ଜୀବନ

                                                                                         ଗାଁରେ ଶୋକର ଛାୟା।

ମାହାଙ୍ଗା,୦୧/୧୧/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )କଇଁ ଫୁଲ ତୋଳିବାକୁ ଯାଇଥିଲେ, ହେଲେ ଆଉ ଫେରିଲେ ନାହିଁ ଘରକୁ। ଖେଳକୁଦ ବୟସରେ ଅକାଳରେ ଲିଭିଗଲା ତିନି ତିନୋଟି ନିଷ୍ପାପ ଶିଶୁଙ୍କ ଜୀବନ ଦୀପ। ମାତ୍ର ୩, ୪ ଓ ୫ ବର୍ଷ ବୟସର ତିନି ଶିଶୁଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଞ୍ଚାୟତ ଝାଡେଶ୍ୱରପୁର ଗ୍ରାମରେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା।ଏହି ଘଟଣା ପରେ ସମଗ୍ର ଗାଁରେ ଖେଳିଯାଇଛି ଶୋକର ଛାୟା। କାନ୍ଦବୋବାଳିରେ ଫାଟିପଡ଼ୁଛି ପରିବେଶ। ଆଖିରୁ ଲୁହ ଶୁଖୁନି ପରିବାର ଲୋକଙ୍କର।

ସୂଚନା ଅନୁଯାୟୀ, ଝାଡେଶ୍ୱରପୁର ଗ୍ରାମର ଇମ୍ରାନ ଖାଁଙ୍କ ଦୁଇ ପୁଅ ଏବଂ ଅନୱାର ଖାଁଙ୍କ ମଝିଆ ପୁଅ ଘର ନିକଟରେ ଥିବା ଏକ ପୋଖରୀକୁ କଇଁ ଫୁଲ ତୋଳିବାକୁ ଯାଇଥିଲେ। ହେଲେ ପୋଖରୀର ଗଭୀର ପାଣିରେ ବୁଡ଼ି ତିନି ଜଣ ଶିଶୁଙ୍କ ଜୀବନ ଚାଲିଯାଇଛି।

ମୃତ ଶିଶୁମାନେ ହେଲେ ଇମ୍ରାନ ଖାଁଙ୍କ ୩ ବର୍ଷର ପୁଅ ଜିସାନ ଖାଁ, ୫ ବର୍ଷର ପୁଅ ସଲମାନ ଖାଁ ଏବଂ ଅନୱାର ଖାଁଙ୍କ ୪ ବର୍ଷର ପୁଅ ଅରହମ ଖାଁ।

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ଗ୍ରାମବାସୀ ତିନି ଶିଶୁଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଯାଇଥିଲେ। ହେଲେ ମେଡିକାଲରେ ଡାକ୍ତର ପରୀକ୍ଷା କରିବା ପରେ ତିନି ଶିଶୁଙ୍କୁ ମୃତ ଘୋଷଣା କରିଥିଲେ।

ଯେଉଁ ବୟସରେ ପିଲାମାନେ ଖେଳକୁଦ କରିବା ସହ ହସଖୁସିରେ ସମୟ କାଟିବା କଥା, ସେହି ବୟସରେ ତିନି ତିନୋଟି ଶିଶୁଙ୍କ ମୃତ୍ୟୁ ପରିବାର ଉପରେ ଦୁଃଖର ପାହାଡ଼ ଲଦି ଦେଇଛି।

Leave a Reply

Your email address will not be published. Required fields are marked *