ଭୁବନରେ ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ 

୨୧ ଟି ମଣ୍ଡପରେ ବିରାଜିଲେ ପ୍ରଭୁ ଗଜାନନ —  ବୃନ୍ଦାବନ ପ୍ରେମ ମନ୍ଦିର ମୁଖ୍ୟ ଆକର୍ଷଣ

ଭୁବନ,୧୪/୦୯/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରରେ ଦ୍ଵିତୀୟ ଦଶହରାର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହୋଇଛି । ଗୋଲଡ଼େନ୍ କ୍ଲବ, ଗ୍ଲୋରୀୟସ କ୍ଲବ , ନାଇସ କ୍ଲବ, ଡାଇନାମିକ୍ କ୍ଲବ, ରକ୍ ଗଣପତ୍ କ୍ଲବ, ଡାଜଳିଂ କ୍ଲବ, ରୟାଲିୟନସ କ୍ଲବ, ଫ୍ରେଣ୍ଡସିପ କ୍ଲବ, ସୂର୍ଯନ୍ସ କ୍ଲବ, ଏକ୍ସାଇଟେଡ୍ କ୍ଲବ, ରିବିଲିୟନ୍ସ କ୍ଲବ , ମୁନଷ୍ଟାର କ୍ଲବ,କିଙ୍ଗଷ୍ଟାର କ୍ଲବ, ଡେଭିଲ କ୍ଲବ, ବ୍ରିଲିଆଣ୍ଟ କ୍ଲବ, ସ୍ପାର୍କଲର୍ କ୍ଲବ, ଗ୍ୟାଙ୍ଗଷ୍ଟାର କ୍ଲବ, ୱାରିଅର କ୍ଲବ୍, ଟାଇଟେନ୍ସ କ୍ଲବ୍,ଗ୍ଲାଡିଏଟର କ୍ଲବ୍,ହଣ୍ଟର କ୍ଲବ୍ ଓ ମେଲଣ କମିଟି ପ୍ରଭୃତି ୨୧ ଟି ମଣ୍ଡପରେ ପ୍ରଭୁ ଗଜାନନ ବିରାଜ ମାନ କରିଛନ୍ତି ।

ବିଭିନ୍ନ ମଣ୍ଡପ ରେ ପୌରାଣିକ କଥାବସ୍ତୁ ଆଧାର ରେ ମୂର୍ତ୍ତି ତିଆରି ହୋଇଛି । ଗତ ବର୍ଷ ରୟାଲିୟନ୍ସ କ୍ଲବ ଅଯୋଧ୍ୟା ରାମ ମନ୍ଦିର କରି ସମଗ୍ର ରାଜ୍ୟରେ ଚର୍ଚ୍ଚାକୁ ଆସିଥିବା ବେଳେ ଚଳିତ ବର୍ଷ ଫ୍ରେଣ୍ଡସିପ କ୍ଲବ ୧୨ ବର୍ଷ ପୂର୍ତ୍ତି ଗଣେଶ ପୂଜା ପାଳନ କରୁଥିବାରୁ ହାଇସ୍କୁଲ ପଡ଼ିଆରେ ବୃନ୍ଦାବନ ପ୍ରେମ ମନ୍ଦିର ର ଅବିକଳ ନକଲ ନିର୍ମାଣ କରି ବେଶ୍ ଚର୍ଚ୍ଚାକୁ ଆସିଛି । ସଭାପତି ଜୀବନ ଜ୍ୟୋତି ପୃଷ୍ଟି ଙ୍କ ସମେତ ଚିନ୍ମୟ ପୃଷ୍ଟି,ଗୋପାଳ ନାୟକ,ଦିନେଶ ଦାସ,ସୁବ୍ରତ କୁମାର ସାହୁ,ମୁନା ନାୟକ,ଆଶିଷ କୁମାର ଦାସ,ଅଜୟ ପୃଷ୍ଟି,ବୁନୁ ସାହୁ,ଶ୍ରୀକାନ୍ତ ବେହେରା,ସ୍ୱର୍ଣ୍ଣ ରଞ୍ଜନ ପୃଷ୍ଟି,ବିକାଶ ସାଥୁଆ ମହାପାତ୍ର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି ।ପେଟ୍ରୋଲ ପମ୍ପ ( ବାଇପାସ୍ ) ଛକରୁ କାଳୀ ବଜାର,ଅରବିନ୍ଦ ମାର୍ଗରୁ ନୂଆ ବଜାର ( ବସଷ୍ଟାଣ୍ଡ ) ପର୍ଯ୍ୟନ୍ତ ସୁଉଚ୍ଚ ତୋରଣ, ଆକର୍ଷଣୀୟ ସାଜସଜ୍ଜା ସହିତ ରଙ୍ଗୀନ ଆଲୋକମାଳାରେ ଭୁବନ ଝଲସୁଛି ।

ଦୋଳି, ମିନା ବଜାର , ଠୁଙ୍କା ପୁରୀ,କଟକ ଚାଟ୍, ହରେକ୍ ମାଲ ଦୋକାନ ଗଣେଶ ପୂଜାକୁ ଅଧିକ ଆକର୍ଷଣୀୟ କରୁଛି । ପ୍ରଥମ ଦିନରୁ ଅସମ୍ଭବ ଭିଡ ହୋଇଛି ଓ ପୋଲିସ ତରଫରୁ ଭିଡ ନିୟନ୍ତ୍ରଣ କରାଯାଉଛି । ଗଣେଶ ମେଲଣ ମହୋତ୍ସବ କମିଟି ୨୩ ଓ ୨୪ ତାରିଖ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ସେପ୍ଟେମ୍ବର ୨୫ ତାରିଖ ଦିନ ମିଳିତ ଭସାଣି ଉତ୍ସବ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *