ଭୁବନେଶ୍ୱର,୧୪/୦୯/୨୦୨୬ (ଓଡ଼ିଶା ସମାଚାର)- ବର୍ତ୍ତମାନ ସାମାଜିକ ସ୍ଥିତି କାରଣରୁ ଅଧିକାଂଶ ବ୍ୟକ୍ତି ମାନସିକ ଚାପହେତୁ ଆବଶ୍ୟକ ପରିମାଣର ନିଦ୍ରା ଅଭାବ ଜନିତ ସମସ୍ୟାରେ ଜର୍ଜରିତ। ନିଦ୍ରା ଶରୀରକୁ ପୁନଃନବୀକରଣ ଶକ୍ତି ଯୋଗାଉଥିବାରୁ ଏହାର ଅଭାବହେତୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ ରୋଗ ସୃଷ୍ଟି ହେଉଛି ବୋଲି ଋଷି ଚୈତନ୍ୟ ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ଆନନ୍ଦମୂର୍ତ୍ତି ଗୁରୁମା କହିଛନ୍ତି ।
ଭୁବନେଶ୍ବର ନିଳାଦ୍ରୀବିହାରଠାରେ ଏକ “ଯୋଗନିଦ୍ରା” ତାଲିମ କାର୍ଯ୍ୟକ୍ରମ ପରିଚାଳନା ଅବସରରେ ଉତ୍ତମ ସ୍ବାସ୍ଥ୍ୟ ନିମିତ୍ତ ‘ଯୋଗନିଦ୍ରା’କୁ ଏକ ଅବ୍ୟର୍ଥ ଉପାୟ କହି ଏହାର ଅଭ୍ୟାସ ସମ୍ପର୍କରେ ବିସ୍ତୃତ ସୂଚନା ଓ କୌଶଳ ବର୍ଣ୍ଣନା କରିଛନ୍ତି । ମନରୁ ଚାପ ନିୟନ୍ତ୍ରଣ କରିବା, ମନ ଓ ଶରୀରକୁ ଶାନ୍ତ ରଖିବା, ମାନସିକ ଉଦ୍ବେଗ ହ୍ରାସ କରିବା ଆଦି ଉଦ୍ଦେଶ୍ୟରେ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ନାଲକୋର ବହୁ ବରିଷ୍ଠ ଅଧିକାରୀ, ପ୍ରଶାସକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀ, ଚିକିତ୍ସକ, ବ୍ୟବସାୟୀ, ସାଧାରଣଜନତା ବହୁସଂଖ୍ଯାରେ ଯୋଗ ଦେଇଥିଲେ ।
ପୂର୍ବରୁ ଏହି କାର୍ଯ୍ୟକ୍ରମ ସହିଦନଗର, ଫୁଲନଖରା, କଟକର କେତେକ ସ୍ଥାନରେ ଆୟୋଜିତ ହୋଇଥିବାର ସୂଚନା ଆୟୋଜକ କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ ।
