ଡେରାବିଶ ବ୍ଲକରେ କୋଟିଏରୁ ଉଦ୍ଧ୍ୱର୍ ଟଙ୍କା ହରିଲୁଟ

ସଦର ଥାନାରେ ଏତଲା ଦେଲେ ବିଡିଓ ନମିତା ବାରିକ
କେନ୍ଦ୍ରାପଡ଼ା, ୨୯/୧୦/୨୦୨୬(ଓଡ଼ିଶା ସମାଚାର)-
ତହବିଲରୁ ଜନସାଧାରଣଙ୍କ ବିକାଶ ପାଇଁ ଉଦ୍ଧିଷ୍ଟ ଅର୍ଥକୁ ବେପରୁଆ ଭାବେ ହଡ଼ପ କରିବାର ଏକ ସଙ୍ଗିନ ମାମଲା ଏବେ କେନ୍ଦ୍ରାପଡ଼ା ଜିଲାର ଡେରାବିଶ ବ୍ଲକରେ ଚହଳ ସୃଷ୍ଟି କରିଛି । ଡେରାବିଶ ବ୍ଲକ ପ୍ରଶାସନ ଅଧିନରେ ଥିବା ସରକାରୀ ଆକାଉଂଟରୁ ପ୍ରାୟ ୧ କୋଟି ୬ ଲକ୍ଷ ଟଙ୍କା ବେଆଇନ ଭାବେ ଉଠାଇ ହେରଫେର କରାଯାଇଛି । ଏହି ବଡ଼ ଧରଣର ଦୁର୍ନୀତି ବିରୁଦ୍ଧରେ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରିଣୀ (ବିଡିଓ) ନମିତା ବାରିକ କେନ୍ଦ୍ରାପଡ଼ା ସଦର ଥାନାରେ ଏକ ଲିଖିତ ଏତଲା ଦାୟର କରିଛନ୍ତି । ଏହାପରେ ପୋଲିସ ଓ ପ୍ରଶାସନ ପକ୍ଷରୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ଡେରାବିଶ ବ୍ଲକ ଆକାଉଂଟରୁ ବାରମ୍ବାର ବିପୁଳ ପରିମାଣର ଅର୍ଥ ସନ୍ଦେହଜନକ ଢଙ୍ଗରେ ସ୍ଥାନାନ୍ତର ହେଉଥିବା ବିଷୟ ପ୍ରଥମେ କେନ୍ଦ୍ରାପଡ଼ା ଟ୍ରେଜେରି ଅଫିସର ସଚ୍ଚିଦାନନ୍ଦ ବେହେରାଙ୍କ ନଜରକୁ ଆସିଥିଲା । ଟ୍ରେଜେରିରେ ଯାଂଚ ସମୟରେ ୧ କୋଟି ୬ ଲକ୍ଷ ଟଙ୍କାର ଅସ୍ୱାଭାବିକ କାରବାର ଉପରେ ସନ୍ଦେହ ଉପୁଜିବାରୁ ଏହାର ତନ୍ନ ତନ୍ନ କରି ଯାଂଚ କରାଯାଇଥିଲା । ଯାଂଚ ପରେ ଜଣାପଡ଼ିଥିଲା ଯେ ଏହି ଟଙ୍କା କୌଣସି ଜନହିତକର ପ୍ରକଳ୍ପ କିମ୍ବା ଠିକାଦାରଙ୍କ ପ୍ରାପ୍ୟ ନୁହେଁ ବରଂ ବ୍ଲକରେ କାର୍ଯ୍ୟରତ ଜଣେ ସିନିୟର ଆସିଷ୍ଟାଙ୍କ ସମ୍ପର୍କୀୟ ତଥା ପୂର୍ବତନ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ମନ୍ମଥ ମାହୁନ୍ତଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟ୍ରାନ୍ସଫର କରାଯାଇଥିବା ଜଣାପଡିଛି । ଟ୍ରେଜେରି ରେକର୍ଡରୁ ମିଳିଥିବା ତଥ୍ୟ ଅନୁସାରେ, ଉକ୍ତ ସିନିୟର ଆସିଷ୍ଟାଂଟ ଶଶିକାନ୍ତ ରଣାଙ୍କ ନିଜ ସମ୍ପର୍କୀୟଙ୍କ ଆକାଉଂଟକୁ ପ୍ରାୟ ୧ କୋଟି ଟଙ୍କା ପଠାଯାଇଥିବା ବେଳେ ମନ୍ମଥ ମାହୁନ୍ତଙ୍କ ଆକାଉଂଟକୁ ୫ ଲକ୍ଷ ୮୯ ହଜାର ଟଙ୍କା ଯାଇଛି ।

ଟ୍ରେଜେରି ଅଫିସର ଶ୍ରୀ ବେହେରା ତୁରନ୍ତ ଏହି ବେନିୟମ କାରବାର ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଇଛନ୍ତି । ଘଟଣା ସମ୍ପର୍କରେ ବିଡିଓ ନମିତା ବାରିକଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହି ଆର୍ଥôକ ଅନିୟମିତତାକୁ ସ୍ୱୀକାର କରିଛନ୍ତି । ଚଳିତ ୨୦୨୫-୨୬ ଆର୍ଥôକ ବର୍ଷରେ ସମୁଦାୟ ୧୧ଟି ସନ୍ଦିଗ୍ଧ ବିଲ୍ ମାଧ୍ୟମରେ ଏହି ବଡ଼ ଧରଣର ଜାଲିଆତି କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ବିଡିଓ ତୁରନ୍ତ ଆକାଉଂଟ୍ସ୍ ଅଫିସରଙ୍କୁ ସମସ୍ତ ଫାଇଲ୍ ଯାଂଚ ପାଇଁ ନିର୍ଦେଶ ଦେବା ସହିତ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି କେନ୍ଦ୍ରାପଡ଼ା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ପୂର୍ବତନ ବିଡିଓ ଗୋପବନ୍ଧୁ ବୈଶାଖଙ୍କ ସମୟରେ ଏହି ଦୁର୍ନୀତି ହୋଇଛି । ଏହାସହ ଏକ ସବିଶେଷ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଏହି କୋଟିଏ ଟଙ୍କାର ଘୋଟାଲା ପଦାକୁ ଆସିବା ପରଠାରୁ ସମ୍ପୃକ୍ତ ସିନିୟର ଆସିଷ୍ଟାଂଟଜଣକ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଛନ୍ତି । ସେ ଅସୁସ୍ଥତା ଦର୍ଶାଇ ଛୁଟିରେ ଥିବା କୁହାଯାଉଥିଲେ ହେଁ ଘଟଣା ପଦାକୁ ଆସିବା ପରେ ସେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି । ଏହି ମାମଲାରେ ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲିକ ବିସ୍ଫୋରକ ପ୍ରତିକ୍ରିୟା ରଖିଛନ୍ତି । ବ୍ଲକରେ ବ୍ୟାପକ ଅର୍ଥ ବାଟମାରଣା ଚାଲିଥିବା ନେଇ ସେ ପୂର୍ବରୁ ବାରମ୍ବାର ପ୍ରଶାସନିକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସତର୍କ କରାଇଥିଲେ ମଧ୍ୟ କେହି ଏହାକୁ ଗୁରୁତ୍ୱ ଦେଇ ନଥିଲେ । ପୂର୍ବରୁ ଅନିୟମିତତା ଅଭିଯୋଗରେ ଜଣେ କମ୍ପ୍ୟୁଟର ପ୍ରୋଗ୍ରାମର ନିଲମ୍ବିତ ହୋଇଛନ୍ତି । ଏବେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଗାଏବ ହେବା ପ୍ରଶାସନିକ ଦୁର୍ନୀତିକୁ ପଦାରେ ପକାଇଛି । ସରକାରୀ ଅର୍ଥ ହରିଲୁଟ୍ ଘଟଣା ଏବେ ସମଗ୍ର ଜିଲାରେ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଏହି ମାମଲାରେ ଖୁବ୍ ଶୀଘ୍ର ଆର୍ଥôକ କାରବାର ତଥ୍ୟ, ଚେକ୍ ଓ ଅନଲାଇନ୍ ଟ୍ରାନ୍ସଫର ରେକର୍ଡ ଜବତ କରି ସମ୍ପୃକ୍ତ ଅଧିକାରୀ ଓ ହିତାଧିକାରୀଙ୍କୁ ଜେରା କରିବ ବୋଲି ଏସପି ସିଦ୍ଧାର୍ଥ କଟ୍ଟାରିଆ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *