Breaking News : ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ , ଗୁଳି ମାଡ଼ରେ  ମାଂସ ବ୍ୟବସାୟୀଙ୍କ ମୃତ୍ୟୁ  

ଅଭିଯୁକ୍ତ ଅଟକ, ହତ୍ୟାକାଣ୍ଡରେ ବ୍ୟବହୃତ ଏକ ୭.୬୨ ଏମ୍‌ଏମ୍‌ ବେଆଇନ ବନ୍ଧୁକ ଜବତ,ଘଟଣା ସ୍ଥଳରୁ ୫ଟି ଖୋକା ମିଳିଛି। ଅଭିଯୁକ୍ତ  ମୃତକଙ୍କ  ନିକଟରେ କାମ କରୁଥିବା ଜଣେ ଯୁବକ

ବୁର୍ଲା, ୨୯/୦୮/୨୦୨୬ (ଓଡ଼ିଶା ସମାଚାର)-ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଆଜି (ଶନିବାର) ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ ଦୋକାନ ଦେଇଥିବା ମହମ୍ମଦ ଅନିଶ କୁରେଶି(୪୦) ଙ୍କର ମୃତ୍ୟୁ  ଘଟିଛି। ଗୁରୁତର ଅବସ୍ଥାରେ ଅନିଶଙ୍କୁ ବୁର୍ଲା ଭୀମସାରକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୁର୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରେ ତୁରନ୍ତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ରାଜା ସ୍ବାମୀଙ୍କୁ ଅଟକ ରଖିବା ସହ ତାଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ୭.୬୨ ଏମ୍‌ଏମ୍‌ ବେଆଇନ ବନ୍ଧୁକକୁ ପୋଲିସ ଜବତ କରିଛି। ଘଟଣା ସ୍ଥଳରୁ ୫ଟି ଖୋକା ମିଳିଛି।

ସମ୍ବଲପୁରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ(ଏଏସ୍‌ପି) ଅଜୟ କୁମାର ମିଶ୍ରଙ୍କ ସୂଚନା ଅନୁସାରେ,  ଆଜି ହଠାତ୍ କୀର୍ବା ଗ୍ରାମ ପବେଶ ଛକରେ ପୂର୍ବାହ୍ନ ୧୧ଟାରେ ସର୍ବ ସମ୍ମୁଖରେ ଘଟି ଯାଇଛି ହତ୍ୟାକାଣ୍ଡ। ଜଣେ ମାଂସ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଛି ତାଙ୍କ ନିକଟରେ କାମ କରୁଥିବା ଜଣେ ଯୁବକ। ପ୍ରାୟ ତିନି ରାଉଣ୍ଡ ଗୁଳି ଫୁଟିଥିଲା। ମୃତକ ଜଣକ ହେଲେ ଅନିଶ କୁରେଶି(୪୦)। ଅନିଶଙ୍କ ନିକଟରେ ଝାରସୁଗୁଡ଼ା ଅଞ୍ଚଳର ରାଜା ନାମକ ଯୁବକ କାମ କରୁଥିଲା। ଆଜି କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ରାଜା ଅତି ନିକଟରୁ ଅନିଶଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରିଥିଲା।

ସେହି ସ୍ଥାନରେ ହିଁ ଅନିଶ ଟଳି ପଡ଼ିବା ସହିତ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସ୍ଥାନୀୟ ଭିସୁଟ ଅଞ୍ଚଳରେ ଏକ ଭୟର ବାତାବରଣ, ଖେଳି ଯାଇଛି। ସର୍ବ ସମ୍ମୁଖରେ ଘଟିଥିବା ହତ୍ୟାକାଣ୍ଡ ପଛରେ କି ରହସ୍ୟ ରହିଛି ତାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏପଟେ ରାଜା ନିକଟରେ ବନ୍ଧୁକ କେଉଁଠୁ ଆସିଲା ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *