ବାଜା ବାଣ ରେ ଦୁଳୁକିଲା ସହର
ଭୁବନ ୧୮/୦୬/୨୦୨୬ (ଓଡ଼ିଶା ସମାଚାର)- ପବିତ୍ର ଶୀତଳ ଷଷ୍ଠୀ ଅବସରରେ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଆନନ୍ଦ ଉଲ୍ଲାସ ସହ ଢେଙ୍କାନାଳ ଜିଲ୍ଲା ଭୁବନ ରେ ଶିବ ପାର୍ବତୀ ବିବାହ ସମ୍ପନ୍ନ ହୋଇଯାଇଛି। ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସ୍ଥିତ ଛତାମଠ ପରିସରରେ ବାବା କାଶୀ ବିଶ୍ଵନାଥଙ୍କ ର ମାତା ପାର୍ବତୀ ଙ୍କ ସହିତ ବିବାହ ସମ୍ପନ୍ନ ହୋଇଯାଇଛି । ବର ପିତା ମାତା ଭାବେ ମୁନା ସାଥୁଆ ମହାପାତ୍ର, ବିନତୀ ସାଥୁଆ ମହାପାତ୍ର ଏବଂ କନ୍ୟା ପିତା ମାତା ଭାବେ ବିପିନ ସାମନ୍ତ ରାୟ ,ପ୍ରଭାତୀ ସାମନ୍ତ ରାୟ ଯୋଗଦେଇ ଦେବ ବିବାହ କରିଥିଲେ । ପୁରୋହିତ ତପନ କୁମାର ମିଶ୍ର ମନ୍ତ୍ରପାଠ କରି ଦେବ ଦମ୍ପତି ଙ୍କ ବିବାହ କରାଇ ଥିଲେ । ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାମୁହିକ ପ୍ରସାଦ ସେବନ କରିଥିଲେ । ସନ୍ଧ୍ୟାରେ ଦେବ ଦମ୍ପତି ନଗର ପରିକ୍ରମା କରିଥିଲେ । କାଶୀ ବିଶ୍ଵନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁ ଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ସୁରେନ୍ଦ୍ର କୁମାର ପୋଥାଳ,ସଦାନନ୍ଦ ନାୟକ ଓ ଶିବ ବିବାହ ପରିଚାଳନା କମିଟି ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । 
ଢେଙ୍କାନାଳ ଜିଲ୍ଲା ର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ବୁଦ୍ଧେଶ୍ଵର ଙ୍କ ମାତା ପାର୍ବତୀ ଦେବୀ ଙ୍କ ବିବାହ କାର୍ଯ୍ୟରେ ଚଳିତ ବର୍ଷ ବିନୀତ କୁମାର ସାହୁ, ମନ୍ଦାକିନୀ ଗୁରୁ ମହାଦେବ ଙ୍କ ପିତା ମାତା ଏବଂ ଦୀପକ କୁମାର ଦାସ,ରଶ୍ମିତା ପୋଥାଳ ମାତା ପାର୍ବତୀ ଙ୍କ ପିତା ମାତା ସାଜି ବିବାହ କରାଇ ଥିଲେ । ସନ୍ଧ୍ୟା ୬ ଘଟିକା ସମୟ ରେ ବାଟ ବରଣି କରାଯାଇଥିଲା ଓ ସନ୍ଧ୍ୟା ୭ ଘଟିକରେ ବ୍ରାହ୍ମଣୀ ଦେବୀ ଛକରୁ ମହାଦେବ ଙ୍କ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ମନ୍ଦିର ପରିଚାଳନା କମିଟି ସଦସ୍ୟ ଙ୍କ ତତ୍ତ୍ଵାବଧାନରେ ପ୍ରାୟ ୨ ହଜାର ରୁ ଉର୍ଦ୍ଧ୍ବ ଶୈବ ଭକ୍ତ ବରଯାତ୍ରୀ ସାଜିଥିଲେ । ଡି ଜେ ସାଉଣ୍ଡ ସାଙ୍ଗକୁ ବାଜା ,ବାଣ ଓ ମହିଳା, ପୁରୁଷ ସଙ୍କୀର୍ତ୍ତନ ରେ ସହର ଦୁଲୁକିଥିଲା । ରାତ୍ର ୧୦ ଘଟିକା ରେ ବରଯାତ୍ରୀ ସହ ବୂଦ୍ଧେଶ୍ୱର ମହାଦେବ ମନ୍ଦିର ରେ ପହଞ୍ଚିବା ପରେ ବିବାହ କାର୍ଯ୍ୟ ଅନୁଷ୍ଟିତ ହେବାର ସ୍ଥିର ହୋଇଛି ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ଜଣାପଡ଼ିଛି। ଭୂଷଳ ପଞ୍ଚାୟତର ଜୟପୁର ଶିବ ମନ୍ଦିର ରେ ମଧ୍ୟ ଦେବ ଦମ୍ପତି ଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଅତିଥି ଭାବେ ଯୋଗଦେଇଥିଲେ ।
