ଅବକାରୀ ବିଭାଗ ପଞ୍ଝାରେ ୨ ନିଶାବେପାରୀ ।

୬୦ ଗ୍ରାମର ହେରୋଇନ ସହ ୧୦ ହଜାର ଟଙ୍କା ଓ ୨ କେଜି ୨୦୦ ଗ୍ରାମର ଗଞ୍ଜେଇ ଜବତ।

ଜଗତସିଂହପୁର୨୫/୦୮/୨୦୨୬ (ଓଡ଼ିଶା ସମାଚାର)- ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ ଚାଲିଥିବାବେଳେ ୨୫ ତାରିଖ ମଙ୍ଗଳବାର ଦିନ ପାରାଦ୍ବୀପ ଏବଂ ବିରିଡି ଥାନା ଅଞ୍ଚଳରେ ଚଢାଉ କରି ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ବିଭାଗ।

ବିରିଡି ଥାନା ଅନ୍ତର୍ଗତ ସରେଇକଣା ଗ୍ରାମରେ ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର ଲୁଚାଛପାରେ ଚାଲୁଥିବାର ଏକ ଅଭିଯୋଗକୁ ଭିତ୍ତି କରି ଜଗତସିଂହପୁର ଅବକାରୀ ରେଞ୍ଜ ର ଇନ୍ସପେକ୍ଟର ଖିତୀଶ ଦାସଙ୍କ ନେତୃତ୍ବରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ ଓ ସବ୍ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ ଙ୍କ ସହଯୋଗରେ ଏକ ଟିମ ଚଢାଉ କରିଥିଲେ। ଅଭିଯୁକ୍ତ ମହିଳା ଜଣଙ୍କ ଘଟଣାସ୍ଥଳ ରୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ସରେଇକଣା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ନିକଟରୁ କାବୁ କରିନେଇଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ ୬୦ ଗ୍ରାମର ବେଆଇନ ହେରୋଇନ ଏବଂ ହେରୋଇନ ବ୍ୟବସାୟ ସହ ଜଡିତ ନଗଦ ୧୦ ହଜାର ଟଙ୍କା ଜବତ କରାଯାଇଥିଲା।  ଗିରଫ ଅଭିଯୁକ୍ତ ଜଣକ ହେଲେ ସରାଇକଣା ଗ୍ରାମର ରସାନନ୍ଦ ସ୍ବାଇଁଙ୍କ ସ୍ତ୍ରୀ ରତ୍ନାମଣୀ ସ୍ବାଇଁ(୫୭)। ଜବତ ହେରୋଇନ ର ଆନୁମାନିକ ମୂଲ୍ଯ ୬ ଲକ୍ଷ ଟଙ୍କା ହେବାର ପ୍ରକାଶ କରିଛନ୍ତି ଜଗତସିଂହପୁର ରେଞ୍ଜ ଇନ୍ସପେକ୍ଟର ଖିତୀଶ ଦାସ। ଅଭିଯୁକ୍ତଙ୍କୁ ଜଗତସିଂହପୁର ଅବକାରୀ ରେଞ୍ଜ କେସ୍ ନଂ ୩୮୵୨୦୨୬-୨୭ରେ ଗିରଫ କରାଯାଇ ଜିଲ୍ଲା ଦୌରାଜଜ ଙ୍କ ଅଦାଲତକୁ ଚାଲାଣ କରାଯାଇଛି।

ସେହିପରି ଅନ୍ୟ ଏକ ଘଟଣାକ୍ରମ ପାରାଦୀପ ଅବକାରୀ ରେଞ୍ଜ ର ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପଟ୍ଟନାୟକ ଙ୍କ ନେତୃତ୍ବରେ ଓ ପାରାଦ୍ବୀପ ଅବକାରୀ ଥାନା ସବ୍ଇନ୍ସପେକ୍ଟର ଧର୍ମପଦ ଦାସଙ୍କ ସହଯୋଗରେ ଏକ ଟିମ ପାରାଦୀପ ଲକ୍ ଥାନା ଅନ୍ତର୍ଗତ ପାରାଦ୍ବୀପଗଡରେ ଚଢାଉ କରି ୨କେଜି ୨୦୦ ଗ୍ରାମର ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ବେପାରରେ ଜଡିତ ଥିବା ପାରାଦ୍ବୀପଗଡ ର ସ୍ବର୍ଗତ ଇନ୍ଦ୍ରମଣି ମଲ୍ଲିକଙ୍କ ପୁଅ ଲୋକନାଥ ମଲ୍ଲିକ(୩୧) ଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୨୨,୦୦୦ ଟଙ୍କା ହେବାର ପାରାଦ୍ବୀପ ରେଞ୍ଜ ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତଙ୍କୁ ପାରାଦ୍ବୀପ ଅବକାରୀ ରେଞ୍ଜ କେସ୍ ନଂ ୩୪୵୨୦୨୬-୨୭ ରେ ସଂଯୁକ୍ତ କରାଯାଇ ଅତିରିକ୍ତ ଜିଲ୍ଲା ଦୌରାଜଜ କୁଜଙ୍ଗଙ୍କ ଅଦାଲତ କୁ ଚାଲଣ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ଆଜିର ଏହି ଚଢାଉ ରେ ଜଗତସିଂହପୁର ଅବକାରୀ ରେଞ୍ଜ ର କନଷ୍ଟେବଳ ଅନୁରାଗ ସୂର୍ୟବଂଶୀ , ସବିତା ନାୟକ, ଲକ୍ଷ୍ମୀନାରାୟଣ ମଲ୍ଲିକ, ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର କନଷ୍ଟେବଳ ବିଶ୍ବରଞ୍ଜନ ସ୍ବାଇଁ, ସୁକାନ୍ତ ମାଝୀ, ଶୁଭଶ୍ରୀ ବିଶ୍ବାଳ

ପାରାଦୀପ ଅବକାରୀ ରେଞ୍ଜ ର ଏ ଏସ୍ ଆଇ ଗୟାଧର ସେଠୀ, କନଷ୍ଟେବଳ ଜୟଦେବ ପାତ୍ର, ସନ୍ତୋଷୀ ସାହୁ, ମନୋରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ।

ନାର୍କୋଟିକ୍ସ ବ୍ୟବସାୟ ବିରୋଧରେ ଚଢାଉ କୁ ଅଧିକ ତୀବ୍ରତର କରାଯିବ ସହ ଶୂନ୍ଯସହନଶୀଳ ନୀତିରେ ସମସ୍ତ ଅଭିଯୁକ୍ତଙ୍କୁ ଦମନ କରିବା ପାଇଁ ଆଗାମୀ ଦିନରେ ଅବକାରୀ ବିଭାଗ ତାର ପ୍ରୟାସ ଜାରି ରଖିବ ବୋଲି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ପ୍ରକାଶ କରିଛନ୍ତି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *