ଏସ୍‌ଟି, ଏସ୍‌ସି ଓ ଏମବିସି କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ ଗୁଣାତ୍ମକ ଶିକ୍ଷା,ଦକ୍ଷତା ବିକାଶ, କ୍ରୀଡ଼ା ଓ ବୃତ୍ତିମୂଳକ ପ୍ରଶିକ୍ଷଣ ଉପରେ  ଗୁରୁତ୍ୱ

ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭  ଲକ୍ଷ୍ୟ ହାସଲରେ ଜନଜାତି ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ

ରୂପାନ୍ତରମୂଳକ ଦୃଷ୍ଟିକୋଣ ସହ ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବା ଆହ୍ୱାନ

ଭୁବନେଶ୍ୱର,୦୫/୦୮/୨୦୨୬(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭  ଲକ୍ଷ୍ୟ ହାସଲରେ ଜନଜାତି ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ  ବୋଲି ରାଜ୍ୟ  ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆହ୍ୱାନ ଦେଇଛନ୍ତି ।  ଭିଜନ ଓଡ଼ିଶା ଲକ୍ଷ୍ୟ ସାଧନ ପାଇଁ ଜନଜାତି ସମ୍ପ୍ରଦାୟକୁ ଉନ୍ନୟନର ମୁଖ୍ୟ ସ୍ରୋତ ସହ ଅଧିକ ସଂଯୋଜିତ କରି ସେମାନଙ୍କ ପାଇଁ ଶିକ୍ଷା, ଦକ୍ଷତା, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ଜୀବିକା ଏବଂ ରୋଜଗାର ସୃଷ୍ଟି ଉପରେ ତୃଣମୂଳ ସ୍ତରରେ ଫଳପ୍ରଦ କାର୍ଯ୍ୟ କରିବାକୁ ସେ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ଲୋକସେବା ଭବନସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଗତକାଲି ମଙ୍ଗଳବାର ଅନୁଷ୍ଠିତ ଏକ  ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ଏହା ପ୍ରକାଶ କରିଛନ୍ତି  । ବୈଠକରେ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ବି. ପରମେଶ୍ୱରନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ, ଜିଲ୍ଲା କଲ୍ୟାଣ ଅଧିକାରୀ ଏବଂ ମାଇକ୍ରୋ ପ୍ରକଳ୍ପଗୁଡ଼ିକର ସ୍ୱତନ୍ତ୍ର ଅଧିକାରୀମାନେ ଯୋଗଦେଇଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଓଡ଼ିଶା ସରକାର ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟ ପୂରଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି  । ୨୦୩୬ ସୁଦ୍ଧା ଓଡ଼ିଶା ଅର୍ଥନୀତିର ଆକାର ୫୦ ହଜାର କୋଟି ଆମେରିକୀୟ ଡଲାରର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ରହିଥିବା ସ୍ଥଳେ ୨୦୪୭ ସୁଦ୍ଧା ୧.୫  ଲକ୍ଷ କୋଟି ଆମେରିକୀୟ ଡଲାର ହେବା ପାଇଁ ଲକ୍ଷ୍ୟ ରହିଛି ।  ଏହା ବର୍ତ୍ତମାନର ଅର୍ଥନୀତିର ଆକାରଠାରୁ ପ୍ରାୟ ୧୫ ଗୁଣ ଅଧିକ ।

ଏହି ଲକ୍ଷ୍ୟ ହାସଲ ହେଲେ ରାଜ୍ୟରେ ଏକ କୋଟିରୁ ଅଧିକ ନୂତନ ରୋଜଗାର ସୁଯୋଗ ସୃଷ୍ଟି ହେବ।  ରାଜ୍ୟ ମୋଟ ଘରୋଇ ଉତ୍ପାଦ ବୃଦ୍ଧି ପାଇଁ ସବୁ ବର୍ଗର ଜନସାଧାରଣଙ୍କ ଯୋଗଦାନ ରହିବା ଆବଶ୍ୟକ । ଏଥିପାଇଁ କୃଷି, ଶିଳ୍ପ, ଔଦ୍ୟୋଗିକ ବିକାଶ,ନୂତନ ପୁଞ୍ଜି ନିବେଶ, ଭିତ୍ତିଭୂମି ବିକାଶ, ମୂଲ୍ୟଯୁକ୍ତ ଉତ୍ପାଦ, ରୋଜଗାର ବୃଦ୍ଧି  ଏବଂ ସେବା କ୍ଷେତ୍ରରେ ଜନଶକ୍ତିଙ୍କ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଜରୁରୀ।

ଏସଟିଏସସି କଲ୍ୟାଣ ବିଭାଗର ଅଧିକାରୀମାନଙ୍କୁ ଓଡ଼ିଶା ଭିଜନ୍ ଆଭିମୁଖ୍ୟ ସଂପର୍କରେ ବୁଝାଇବା ସହ ଆଲୋଚନା କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ରାଜ୍ୟର ପ୍ରାୟ ୩୭ ପ୍ରତିଶତ ଭୂଭାଗ ଜଙ୍ଗଲ ଆଚ୍ଛାଦିତ ଏବଂ ବହୁ ସଂଖ୍ୟକ ଜନଜାତି ଲୋକ ଜଙ୍ଗଲ ଅଞ୍ଚଳରେ ବାସ କରୁଛନ୍ତି  । ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଅନ୍ୟତମ। ଏହି ଲକ୍ଷ୍ୟରେ ସରକାର ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ଶିକ୍ଷା, ଛାତ୍ରାବାସ, ଛାତ୍ରବୃତ୍ତି, ଆଶ୍ରମ ବିଦ୍ୟାଳୟ ଓ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ମାଗଣା ପାଠ୍ୟପୁସ୍ତକ, ୟୁନିଫର୍ମ, ଶିକ୍ଷା ସାମଗ୍ରୀ, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ, ଉଚ୍ଚଶିକ୍ଷା ସୁବିଧା, ସଂରକ୍ଷଣ, ଛାତ୍ରବୃତ୍ତିକୁ  ଡିବିଟି  ଜରିଆରେ ପ୍ରଦାନ ଏବଂ ପିଏମ୍-ଜନମନ ଭଳି ବିଭିନ୍ନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି।

ଜନଜାତି ଯୁବବର୍ଗ ଯେପରି ଦକ୍ଷତା ବିକାଶ ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବେ, ସେଥିପାଇଁ ସେମାନଙ୍କୁ ତୃଣମୂଳସ୍ତରରୁ ଛାତ୍ରାବସ୍ଥାରୁ ଉପଯୁକ୍ତ ପରିବେଶ, ଗୁଣାତ୍ମକ ଶିକ୍ଷା ଏବଂ ବୃତ୍ତିଗତ ତାଲିମ ଉପରେ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଥିଲେ । ଆଶାନୁରୂପ ଫଳ ମିଳିବା ପାଇଁ ଅଧିକାରୀମାନଙ୍କୁ ରୁଟିନ୍‌ ମାଇଣ୍ଡ୍‌ ସେଟ୍ (ଚିରାଚରିତ କାର୍ଯ୍ୟଧାରା ରୁ) ବାହାରି ରୂପାନ୍ତରଣମୂଳକ ପରିବର୍ତ୍ତନ ମନୋବୃତ୍ତି ( ଟ୍ରାନ୍ଫଫରମେସନାଲ ଚେଞ୍ଜଡ୍ ମାଇଣ୍ଡ ସେଟ୍ ) ନେଇ ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ଅଧିକ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନସଚିବ ଗୁରୁତ୍ୱ ଦେଇଥିଲେ ।

କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ରଣନୈତିକ ଦିଗଦର୍ଶନ ପ୍ରଦାନ କରି ମୁଖ୍ୟ ଶାସନ ସଚିବ କହିଥିଲେଯେ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ ସଶକ୍ତିକରଣ ପାଇଁ ତୃଣମୂଳସ୍ତରରେ ଲକ୍ଷ୍ୟଭିତ୍ତିକ କାର୍ଯ୍ୟ ଅତ୍ୟନ୍ତ ଆବଶ୍ୟକ। ସମୃଦ୍ଧି, ସୁସ୍ଥତା ଓ ସମତା-ଏହି ତିନୋଟି ସ୍ତମ୍ଭକୁ ଆଧାର କରି ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟିସାଧନ, ଦକ୍ଷତା ବିକାଶ, ଜୀବିକା, ଉଦ୍ୟୋଗୀ ସୃଷ୍ଟି, ଡିଜିଟାଲ୍ ଶିକ୍ଷା, ବିଭାଗୀୟ ସମନ୍ୱୟ, ଉତ୍ତରଦାୟିତ୍ୱ ଏବଂ ଫଳାଫଳଭିତ୍ତିକ ପ୍ରଶାସନକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରାଗଲେ ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଅନ୍ତର୍ଭୁକ୍ତିମୂଳକ ବିକାଶର ଏକ ସଶକ୍ତ ଅଂଶୀଦାର ଭାବେ ପରିଣତ ହେବେ।

ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ ଯେ, ଯେଉଁ ଜନଜାତି ଯୁବକ ଓ ଯୁବତୀମାନେ ଦେଶ ବା ବିଦେଶରେ ଉଚ୍ଚଶିକ୍ଷା ଓ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି, ସେମାନଙ୍କୁ ‘ରୋଲ୍ ମଡେଲ୍’ ତଥା ଆଦର୍ଶ ଭାବେ ବିଭିନ୍ନ ଆଶ୍ରମ ବିଦ୍ୟାଳୟ ଓ  ବିଭାଗ ଅଧିନସ୍ଥ  ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସଂଯୋଗ କରି  ବିଦ୍ୟାଳୟ ପରିଦର୍ଶନ କିମ୍ବା ଅନଲାଇନ୍ ମାଧ୍ୟମରେ ସେମାନେ ନିଜ ନିଜର ଅନୁଭୂତି ବାଣ୍ଟି ନୂତନ ପିଢ଼ିକୁ ଉଚ୍ଚଶିକ୍ଷା ଓ  ଉଚ୍ଚ ମାନର ବୃତ୍ତି ଚୟନ ପାଇଁ ପ୍ରେରଣା ଦିଅନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଆହ୍ୱାନ ଦେଇଛନ୍ତି ।

 ଜନଜାତିସମ୍ପ୍ରଦାୟର ଆର୍ଥିକ ସଶକ୍ତିକରଣ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ  କହିଥିଲେ ଯେ, ଜଙ୍ଗଲଜାତ ଦ୍ରବ୍ୟ କେବଳ ସଂଗ୍ରହ ନକରି ସେସବୁର ମୁଲ୍ୟଯୁକ୍ତ ପ୍ରକ୍ରିୟାକରଣ ଦ୍ୱାରା କ୍ଷୁଦ୍ର ଓ ଗୃହଭିତ୍ତିକ ଶିଳ୍ପର ବିକାଶ, ଇକୋ-ଟୁରିଜିମ୍, ଟୁର୍ ଗାଇଡ୍, ହସ୍ପିଟାଲିଟି, ହାଉସକିପିଂ ଓ ଅନ୍ୟାନ୍ୟ ସେବାଭିତ୍ତିକ କ୍ଷେତ୍ରରେ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ମାଧ୍ୟମରେ ଜନଜାତି ଯୁବବର୍ଗଙ୍କ ପାଇଁ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି କରାଯାଇପାରିବ।ଏହା ଦ୍ୱାରା ସେମାନଙ୍କ ଆୟ ବୃଦ୍ଧି ପାଇବା ସହ ରାଜ୍ୟର ଅର୍ଥନୈତିକ ବିକାଶରେ ସେମାନଙ୍କର ଅଧିକ ସକ୍ରିୟ ଭାଗିଦାରି ସୁନିଶ୍ଚିତ ହେବ ବୋଲି ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି ।

        -0-

       ପଠାଣି ରାଉତ ମୁଖ୍ୟଶାସନ ସଚିବଙ୍କଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *