ଜମି ଅଧିକାର ସମ୍ୱନ୍ଧୀୟ ମାମଲା ତ୍ୱରିତ ସମାଧାନ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଗୁରୁତ୍ୱ

କଟକ,୧୦/୦୯/୨୦୨୫(ଓଡ଼ିଶା ସମାଚାର)- କଟକ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହଠାରେ ରାଜସ୍ୱ ଓ ଭୂଅର୍ଜନ ସମ୍ୱନ୍ଧୀୟ ସମୀକ୍ଷା ବୈଠକ ରାଜସ୍ୱ ଓ ବିର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଯୋଗଦେଇ ପୂର୍ବ ସର୍ବେକ୍ଷଣ ଅନୁଯାୟୀ ବସୁନ୍ଧରା ଯୋଜନା ଅନ୍ତର୍ଗତ ଭୂମିହୀନ ପରିବାରକୁ ଜମିପଟ୍ଟା ପ୍ରଦାନ, ପୂର୍ବରୁ ପ୍ରଦାନ କରାଯାଇଥିବା ଘରବାଡି ଜମିର ଚିହ୍ନଟ, ଶିକ୍ଷାନୁଷ୍ଠାନଗୁଡିକର ଜମିର ନିୟମିତକରଣ, ଜଙ୍ଗଲ ଅଧିକାର ଆଇନରେ ପ୍ରଦାନ କରାଯାଇଥିବା ପଟ୍ଟା ବଂଟନ, ସିକିମ୍, ବେବନ୍ଦୋବସ୍ତ ଓ ଜଙ୍ଗଲ ଜମି ଅଧିକାର ଅଧିନିୟମ ଅନ୍ତର୍ଗତ ବିଭିନ୍ନ ଯୋଜନା ଆଦି ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା ।

ଗୋଚର ଜମିରେ ରହୁଥିବା ଲୋକଙ୍କୁ ଥଇଥାନ କରାଇବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇ, ବୃଦ୍ଧ, ଅସହାୟ ଓ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକଙ୍କ ସମସ୍ୟାଗୁଡିକ ଉପରେ ଯଥା ସମୟରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାରମାନଙ୍କୁ ନିର୍ଦେଶ ଦେଇଥିଲେ । ଏଥିସହ ବିଭିନ୍ନ ସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ, ବିଭାଗ ଇତ୍ୟାଦିର ଅବ୍ୟବହୃତ ଜମିକୁ ବିଭିନ୍ନ ଉନ୍ନୟନ ଯୋଜନା ନିମନ୍ତେ ସରକାରୀ ଖାତାକୁ ଆଣି ପ୍ରଦାନ କରିବା, ବିଭିନ୍ନ ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା, ଚକବନ୍ଦୀ ଆଦି ବିଷୟରେ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପଡ଼ିରହିଥିବା ଜମିଜମା ସମ୍ୱନ୍ଧୀୟ ରାଜସ୍ୱ, ଅଦାଲତ ମାମଲାଗୁଡିକର ତ୍ୱରିତ ଫଇସଲା କରିବା ନିମନ୍ତେ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଧେଶ ପ୍ରଦାନ କରିଥିଲେ ।

ସେହିଭଳି କ୍ୟାପିଟାଲ ରିଜନ୍ ରିଙ୍ଗରୋଡ(ସିଆରଆରଆର) ନିମନ୍ତେ ଜମି ଅଧିଗ୍ରହଣକୁ ସୁଗମ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏଥିସହ ସରକାରୀ ଜମିର ସୁରକ୍ଷା ଓ ଏହାର ଜବରଦଖଲକୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ୱନ କରିବା ନିମନ୍ତେ ମନ୍ତ୍ରୀ ତହସିଲଦାର ଏବଂ ଉପଜିଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ରାଜସ୍ୱ ସେବାଗୁଡିକ କିପରି ଭାବେ ଲୋକଙ୍କ ଦ୍ୱାରଦେଶରେ ପହଂଚିବ ସେଥିନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜସ୍ୱ ବିଭାଗ ଅଧିନସ୍ଥ ସମସ୍ତ କାର୍ଯ୍ୟର ତଥ୍ୟ ପ୍ରସ୍ତୁତି କରାଯାଇ ରାଜସ୍ୱ ମନ୍ତ୍ରୀଙ୍କୁ ଅବଗତ କରଯାଇଥିଲା ବେଳେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଡକ୍ଟର ଦିବ୍ୟଲୋଚନ ମହାନ୍ତ ବର୍ତମାନର ସ୍ଥିତି ସମ୍ପର୍କରେ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *