‘ଅମୁଲ୍’ ଓ ‘ମଦର ଡାଏରୀ’ ଲିଟର ପିଛା ବଢାଇଲେ ୨ଟଙ୍କା:

ଓଡ଼ିଶାରେ ଓମଫେଡ୍, ମିଲ୍କ ମୁଁ ଓ ପ୍ରଗତି ବଢାଇବେ କେବେ ?- ଦୁଗ୍ଧଚାଷୀ ମହାସଂଘ
ଭୁବନେଶ୍ୱର, ୦୩/୬/୨୦୨୪ (ଓଡ଼ିଶା ସମାଚାର)- ଗୁଜୁରାଟରେ ‘ଅମୁଲ୍’ କ୍ଷୀର ଲିଟର ପିଛା ଦୁଇ ଟଙ୍କା ଆଜିଠାରୁ ବୃଦ୍ଧି କରାଯାଇଅଛି । ସେହିଭଳି ଦିଲ୍ଲୀ, ନୋଇଡା ଓ ଗାଜିଆବାଦ ପ୍ରଭୃତି ଅଂଚଳରେ ‘ମଦର ଡାଏରୀ’ ଲିଟର ପିଛା ଆଜିଠାରୁ ୨ ଟଙ୍କା କ୍ଷୀର ଦର ବୃଦ୍ଧି କରାଯାଇଅଛି । କିନ୍ତୁ ଦୁଃଖର କଥା ରାଜ୍ୟରେ ୧୧ଲକ୍ଷ ଦୁଗ୍ଧଚାଷୀ ଅର୍ଥନୈତିକ ଦୂରାବସ୍ଥା ମଧ୍ୟରେ ଗତି କରୁଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଗ୍ଧ ଦର ବୃଦ୍ଧି ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ । ଗୋଖାଦ୍ୟର ଦର ଦିନକୁ ଦିନ ଲଗାମଛଡା ହୋଇ ବଢୁଥିଲା ବେଳେ ସରକାର ଗୋଖାଦ୍ୟ ଦରକୁ ନିୟନ୍ତ୍ରଣ କରିବାକୁ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସେହିଭଳି ରାଜ୍ୟରେ ସରକାର ସବୁ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ବିଏସକେୱାଇ ସ୍ୱାସ୍ଥ୍ୟ ବୀମାର ପ୍ରଚଳନ କରିଛନ୍ତି । ଅସୁସ୍ଥ ଗାଈଗୋରୁଙ୍କର ସ୍ୱାସ୍ଥ୍ୟସେବା ପାଇଁ ଏପର୍ଯ୍ୟନ୍ତ ସରକାର କୌଣସି ସ୍ୱାସ୍ଥ୍ୟବୀମା ପ୍ରଚଳନ କରିନାହାଁନ୍ତି । ବହୁ ପଶୁପାଳକ ନିଜର ଗାଈ ଗୋରୁଙ୍କ ଚିକିତ୍ସା ପାଇଁ ରକ୍ତ, ମଳମୂତ୍ର ପରୀକ୍ଷା ଠାରୁ ଆରମ୍ଭ କରି ଟୀକା ପର୍ଯ୍ୟନ୍ତ ଦେବାରେ ୨୦ ଟଙ୍କାରୁ ୧୫୦ ଟଙ୍କା ବ୍ୟୟ କରି ଅଜଥାରେ ଖର୍ଚ୍ଚାନ୍ତ ହେଉଛନ୍ତି । ଏଠାରେ ଉଲ୍ଲେଖଥାଉକି, ରାଜ୍ୟରେ ଏହି ୧୧ଲକ୍ଷ ଦୁଗ୍ଧଚାଷୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅର୍ଦ୍ଧଶିକ୍ଷିତ ଯୁବକ ଯୁବତୀ ଓ ମହିଳା । ଡାଏରୀ ଫାର୍ମରେ ନିଯୁକ୍ତ ହୋଇଥିବା ଯୋଗୁଁ ରାଜ୍ୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ତେଣୁ ଦୁଗ୍ଧଚାଷୀଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ‘ଅମୂଲ’ ଓ ‘ମଦର ଡାଏରୀ’ ଭଳି ଓଡ଼ିଶାରେ ଦୁଗ୍ଧ ଲିଟର ପିଛା ସର୍ବନିମ୍ନ କ୍ରୟମୂଲ୍ୟ (ଚାଷୀଙ୍କ ଠାରୁ) ଲିଟର ପିଛା ୪୦ ଟଙ୍କା କରିବା ପାଇଁ ସରକାର ଓମଫେଡ୍, ପ୍ରଗତି ଓ ମିଲ୍କମୁ କୁ ନିର୍ଦ୍ଧେଶ ଦେବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ସଭାପତି ରବି ବେହେରା, ଉପସଭାପତି ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆଙ୍କ ସମେତ ଦୁଗ୍ଧଚାଷୀ ମମତା ନାୟକ, ପ୍ରତିମା ମଲ୍ଲିକ, ଦ୍ୱିଜବର ମୁଦୁଲି, ବିଜୟ ବେହେରା ଓ ରାଜ୍ୟପ୍ରିୟ ଦାସ ପ୍ରମୁଖ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *