ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ସତର୍କତା ମୂଳକ ପଦକ୍ଷେପ।

ଯାଜପୁର, ୦୮/୦୭/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାରେ ବନ୍ୟାଜଳ ପ୍ରବାହକୁ ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଅପରାହ୍ନରେ ଓସ୍ୱାନ ଭି ସି କକ୍ଷ ଠାରେ ଆଭାସୀ  ମାଧ୍ୟମରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ୟା ପରିସ୍ଥିତିରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ । ଦକ୍ଷତା ସମ୍ପନ୍ନ ଅଗ୍ନିଶମ,ଇଲେକ୍ଟ୍ରିସିଟି, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କ ଫୋନ ନମ୍ବର ନିୟନ୍ତ୍ରଣ କକ୍ଷରେ ରହିବ। ବହୁମୁଖି ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ଆବଶ୍ୟକୀୟ ସାମଗ୍ରୀ ପ୍ରସ୍ତୁତ ରହିବ ଏବଂ ଜନସାଧାରଣଙ୍କ ଅବଗତି ନିମନ୍ତେ ବନ୍ୟା ସମୟରେ ଜଳ ପ୍ରବାହ ସ୍ଥିତି ସମ୍ପର୍କରେ ସମସ୍ତ ତଥ୍ୟର ସୂଚନା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ବନ୍ୟା ସମୟରେ ଜିଲ୍ଲାରେ କେହି ମାଛ ଧରିବାକୁ ନଦୀକୁ ଯାଇପାରିବେ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ତଳିଆ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ବନ୍ୟା ସମୟରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ  ଅସ୍ଥାୟୀ ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।  ପଞ୍ଚାୟତସ୍ତରରେ ରିଲିଫ ଅଧିକାରୀ ବିଡ଼ିଓ ମାନେ ନିୟୋଜିତ କରିବେ।  ବନ୍ୟା ପୂର୍ବରୁ ଆବଶ୍ୟକୀୟ ସାମଗ୍ରୀ ଏବଂ ଶୁଖିଲା ଖାଦ୍ୟ ଆଗରୁ ମହଜୁଦ ରଖିବାକୁ ଜିଲ୍ଲାପାଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟୀ ମାନଙ୍କ ରହିବା ନିମନ୍ତେ ସ୍କୁଲରେ ଅସ୍ଥାୟୀ ଆଶ୍ରୟସ୍ଥଳ ଚି଼ହ୍ନଟ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ପଞ୍ଚାୟତରେ ଏକ ନୋଡାଲ ଅଧିକାରୀ ରହିବେ ଏବଂ ସେମାନେ ପରିସ୍ଥିତିକୁ ଅନୁଧ୍ୟାନ କରି ସ୍କୁଲ ଗୁଡ଼ିକୁ ଖୋଲିବା ସହିତ ଆବଶ୍ୟକ ବ୍ୟବସ୍ଥା କରିବେ। ବ୍ଲକ ସ୍ତରରେ ବିଡ଼ିଓ ମାନେ ବୈଠକ ଅନୁଷ୍ଠିତ କରିବା ସହିତ ପଂଚାୟତ ପ୍ରତିନିଧି ମାନଙ୍କୁ ଅନ୍ତର୍ଭୁକ୍ତ କରିବେ।

ଆବଶ୍ୟକ ସ୍ଥଳେ ରାଜ୍ୟ ସରକାର ଙ୍କ ରିଲିଫ କୋଡ ଅନୁଯାୟୀ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ।  ରାଜ୍ୟ ସରକାର ବନ୍ୟା ସ୍ଥିତିରେ ଜିରୋ କାଜୁୟାଲିଟି କୁ ପ୍ରାଥମିକତା ଦେଉଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡା ଔଷଧ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଓଡରାଫ ଏବଂ ଏନ୍.ଡି.ଆର.ଏଫ୍ ଟିମ୍ କୁ ବ୍ଲକ୍ ପଏଣ୍ଟ ରେ ରହିବା ବ୍ୟବସ୍ଥା କରାଯିବ।  ସାମାଜିକ ସଂଗଠନ, ଏନ୍.ଜି.ଓ, ପି.ଆର.ଆଇ ମେମ୍ବର ଙ୍କୁ ମଧ୍ୟ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଲଗାଣ ବର୍ଷାରେ ରାସ୍ତାରେ ହୋଇଥିବା ଗର୍ତ୍ତକୁ ମରାମତି କରିବାକୁ  ଆର ଆଣ୍ଡ ବି କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଡିସଇନ୍ଫେକ୍ସନ୍ ପ୍ରକ୍ରିୟା ଚାଲୁ ରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ଆସିଲେ ପ୍ରଭାବିତ  ବରୀ, ବିଂଝାରପୁର, ବଡ଼ଚଣା, ରସୁଲପୁର କ୍ଷତି ଗ୍ରସ୍ତ ହେବ ସେହିପରି ବୈତରଣୀ ନଦୀରେ ବନ୍ୟା ଜଳ ଆସିଲେ କୋରେଇ, ଯାଜପୁର, ଦଶରଥପୁର ଆଦି କ୍ଷତି ଗ୍ରସ୍ତ ହେବାକୁ ଥିବାରୁ  ଏହି ସବୁ ଅଞ୍ଚଳକୁ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, ଏସ.ଇ ଜଳସେଚନ ବିଭାଗ, ଆର.ଡବ୍ଲ୍ୟୁ.ଏସ.ଏସ, ଆର.ଡି, ଜରୁରୀକାଳିନ ଅଧିକାରୀ ଅଶୋକ କୁମାର ବେହେରା ସମସ୍ତ କ୍ଷେତ୍ରୀୟ ଅଧିକାରୀ, ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର ମାନେ ଉପସ୍ଥିତ ରହି ବନ୍ୟା ସମ୍ପର୍କିତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *