ଆହୁରି ୪୮ ଘଂଟାର ସତର୍କତା

ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସାଧାରଣଙ୍କ ପ୍ରବେଶ ନିଷିଦ୍ଧ
ହୀରାକୁଦର ୨୨ ଗେଟ୍ ଦେଇ ଜଳ ନିଷ୍କାସନ
କୁଆଖାଇ କୁ ଡେଇଁଲେ ମହିଳା,ଜଗତସିଂହପୁରରେ ୨ ଯୁବକ ଭାସିଗଲେ
କଟକ/ଭୁବନେଶ୍ୱର, ୩୧/୦୭/୨୦୨୬ (ଓଡ଼ିଶା ସମାଚାର)- ମହାନଦୀରେ ବନ୍ୟାଜଳର ପ୍ରବାହ ହ୍ରାସ ପାଇବା ଆରମ୍ଭ ହୋଇଥିଲେ ମଧ୍ୟ ଏହାର ଗତି ଅତ୍ୟନ୍ତ ମନ୍ଥର ଥିବାରୁ ଜିଲା ପ୍ରଶାସନ ଆହୁରି ୪୮ ଘଂଟା ପାଇଁ କଡ଼ା ସତର୍କତା ଜାରି ରଖିଛି । ମୁଣ୍ଡଳୀରେ ପ୍ରତି ୩ ଘଂଟାରେ ପ୍ରାୟ ୧୦ ହଜାର କୁ୍ୟସେକ୍ ଜଳ କମୁଥିବା ବେଳେ ନଦୀରେ ସ୍ରୋତ ଏବେ ମଧ୍ୟ ଅତ୍ୟନ୍ତ ପ୍ରବଳ ରହିଛି ।

ଏପରି ସ୍ଥିତିରେ ହୀରାକୁଦ ଜଳଭଣ୍ଡାରର ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବର୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫.୨୫ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ଲକ୍ଷ ୫୨ ହଜାର ୫୫୬ କୁ୍ୟସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ଲକ୍ଷ ୮୯ ହଜାର ୩୩ କୁ୍ୟସେକ୍ ଜଳ ନିଷ୍କାସିତ ହେଉଛି । ଥିବାରୁ ଆସନ୍ତା ୪୮ଘଂଟା ପର୍ଯ୍ୟନ୍ତ ମୁଣ୍ଡୁଳୀରେ ଜଳପ୍ରବାହ ସମାନ ରହିବା କିମ୍ବା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ଦତାତ୍ରେୟ ଭାଉସାହେବ ଶିନ୍ଦେ, ବନ୍ୟା ଆଶ୍ରୟସ୍ଥଳୀରେ ଥିବା ବିପନ୍ନମାନଙ୍କୁ ଖାଦ୍ୟ ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ନିର୍ଦେଶ ଦେବା ସହ ଉପଜିଲାପାଳ, ବିଡିଓ, ତହସିଲଦାର ଓ କଟକ ମହାନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସତର୍କ ଦୃଷ୍ଟି ଦେବାକୁ କହିଛନ୍ତି । ବିପଦପ୍ରବଣ ଅଂଚଳରେ ମାଇକ ମାଧ୍ୟମରେ ପ୍ରଚାର କରାଯାଇ ସଚେତନତା ସୃଷ୍ଟି କରାଯିବା ସହ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକର ସମସ୍ତ ନଦୀଘାଟକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।

ନଦୀରେ ଗାଧୋଇବା, ପହଁରିବା, ଡଙ୍ଗା ଚଳାଚଳ, ସେଲ୍ଫି ନେବା, ଜଳଧାର ନିକଟରେ ଠିଆ ହେବା ଏବଂ ଜିଲାର ସମସ୍ତ ବ୍ୟାରେଜ୍ ଅଂଚଳକୁ ଯିବା ଉପରେ ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ସେହିପରି ବାଲିଯାତ୍ରା ତଳ ପଡ଼ିଆରେ ସାଧାରଣ ଲୋକଙ୍କ ଯାତାୟାତ, ସମାବେଶ ଓ ଭିଡ଼ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଶୁକ୍ରବାର ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି ।

ଦୁଇଟି ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଂଚି ନଦୀରେ ଜୋରଦାର ଖୋଜାଖୋଜି ଜାରି ରଖିଛନ୍ତି । ତେବେ ମହିଳା ଜଣଙ୍କ କିଏ ଏବଂ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଇ ନଦୀକୁ ଡେଇଁଲେ, ସେନେଇ ବର୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ । ସେହିପରି ଜଗତସିଂହପୁର ଆମ୍ବିକିଠାରେ ୨ ଯୁବକ ଭାସି ନିଖୋଜ ଅଛନ୍ତି ।

Leave a Reply

Your email address will not be published. Required fields are marked *