କଟକ ୩୧/୦୭/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) ‘ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ’ ଆନୁକୂଲ୍ୟରେ ବିଶିଷ୍ଟ ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମମାଟିକଟକ ଜିଲ୍ଲା ବୟାଳିଶ ମୌଜା ପଟଣା ଗ୍ରାମ ରେ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।
ଏହି ସମାରୋହରେ ଓଡ଼ିଶାର ବିଶିଷ୍ଟ ବିଦ୍ୱାନ, ସାହିତ୍ୟିକ, କବି ଓ ପ୍ରଶାସକମାନେ ଯୋଗଦେଇ ନାଟ୍ୟକାରଙ୍କ ସ୍ମୃତିଚାରଣ କରିଥିଲେ।ଏହି ଉତ୍ସବରେ ନୀଳମାଧବ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. ନିରୋଦ କୁମାର ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କିମ୍ସ ବିଶ୍ୱବିଦ୍ୟାଳୟର ସହକାରୀ ଅଧ୍ୟାପିକା ଡ. ଦେବହୃତି ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଡ. ବନପ୍ରଭା ପରିଡ଼ା ଓ ସ୍ୱତନ୍ତ୍ର ଅତିଥି ଭାବେ ଡ. ସ୍ୱରଞ୍ଜନ ଲେଙ୍କା ଉପସ୍ଥିତ ଥିଲେ।
ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବା ସହ ଓଡ଼ିଆ ସାହିତ୍ୟର ଆଗଧାଡ଼ିର ସାହିତ୍ୟିକ ଗୋପୀନାଥ ମହାନ୍ତି, କାହ୍ନୁ ଚରଣ ମହାନ୍ତି ଏବଂ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ତୈଳଚିତ୍ର ଉନ୍ମୋଚନ କରାଯାଇଥିଲା।
ଅନୁଷ୍ଠାନ ତରଫରୁ ମିର୍ଜା ସରାଫତ ବେଗ ସଭା ପରିଚାଳନା କରିବା ସହ ସମ୍ପାଦକୀୟ ବାର୍ତ୍ତା ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ଅନିଲ କୁମାର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଇଞ୍ଜିନିୟାର ଶ୍ରୀକାନ୍ତ ବେଉରା ସଭା ସଂଯୋଜନା କାର୍ଯ୍ୟ ତୁଲାଇଥିଲେ । ଏହି ଅବସରରେ ଏକ ସାହିତ୍ୟିକ ଆସର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଶୁକଦେବ ମହାରଣା, ସରୋଜ ନଳିନୀ ପରିଜା, ବ୍ୟଙ୍ଗକବି ପ୍ରତାପ ଚନ୍ଦ୍ର ବେହେରା, ରତ୍ନମଞ୍ଜରୀ ପଣ୍ଡା, ସସ୍ମିତା ବସ୍ତିଆ, ସବିତା ରାଣୀ ଦାସ, ସସ୍ମିତା ମହାପାତ୍ର ଓ ଚିତରମା ସ୍ୱାଇଁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ।
ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ନାରାୟଣ ଚନ୍ଦ୍ର ମହାନ୍ତି ଆଗତ ଅତିଥିମାନଙ୍କୁ ଶାଲ୍ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
