ବନ୍ୟା ପରିସ୍ଥିତି ଉପରେ ଜିଲା ପ୍ରଶାସନର କଡ଼ା ନଜର

ପ୍ରଭାବିତ ଅଂଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି ବରିଷ୍ଠ ଅଧିକାରୀ
କେନ୍ଦ୍ରାପଡ଼ା, ୩୧/୦୭/୨୦୨୬ (ଓଡ଼ିଶା ସମାଚାର)- ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଉପରେ ଜିଲା ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଥିବା ବେଳେ ପ୍ରଭାବିତ ଅଂଚଳ ଗୁଡ଼ିକରେ ଉଦ୍ଧାର, ରିଲିଫ୍ ଓ ଅତ୍ୟାବଶ୍ୟକ ସେବା ପ୍ରଦାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଜାରି ରହିଛି । ଜିଲାର ୮ଟି ବ୍ଲକ୍ ଯଥା ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା, ମାର୍ଶାଘାଇ ଏବଂ ମହାକାଳପଡ଼ା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି ।

ଏଥିସହ ପଟ୍ଟାମୁଣ୍ଡାଇ ପୌରାଂଚଳର ୧୧ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି । ଜିଲାର ମୋଟ ୫୭ଟି ଗ୍ରାମ ପଂଚାୟତ ଅଧିନ ୧୩୫ଟି ଗ୍ରାମର ପ୍ରାୟ ୫୭ ହଜାର ୭୦୪ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ୧୦୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବର୍ର୍ମାନ ୩ଟି ଆଶ୍ରୟସ୍ଥଳୀରେ ସେମାନଙ୍କୁ ରଖାଯାଇ ଆବଶ୍ୟକୀୟ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି । ସେହିପରି ୩ଟି ମାଗଣା ରୋଷେଇ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲାର ବରିଷ୍ଠ ଅଧିକାରୀମାନେ ନିରନ୍ତର ପ୍ରଭାବିତ ଅଂଚଳ ଗସ୍ତ କରି ସ୍ଥିତି ପରଖୁଛନ୍ତି । ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲାପାଳ ଅରୁଣ କୁମାର ନାୟକ ଏବଂ ଅତିରିକ୍ତ ଉପଜିଲାପାଳ ସନ୍ଧ୍ୟାରାଣୀ ମାଝୀ ପ୍ରମୁଖ ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରୁଛନ୍ତି ।

ଜିଲାରେ ବନ୍ୟା ଜନିତ କୌଣସି ଜନହାନି ଘଟି ନାହିଁ । ପ୍ରାୟ ୨୪ ହଜାର ୨୬୦ଟି ପଶୁ ପ୍ରଭାବିତ ହୋଇଥିବା ବେଳେ କୌଣସି ପଶୁଙ୍କ ମୃତ୍ୟୁର ଖବର ମିଳିନାହିଁ । ଚାଷଜମି କ୍ଷୟକ୍ଷତିର ଆକଳନ ବନ୍ୟା ଜଳ କମିବା ପରେ କରାଯିବ । ସେହିପରି ୫ଟି କଚ୍ଚା ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।ପ୍ରଭାବିତ ଲୋକଙ୍କ ମଧ୍ୟରେ ଆବଶ୍ୟକୀୟ ସାମଗ୍ରୀ ବଂଟନ କରାଯାଉଛି । ଆଜି ସୁଦ୍ଧା ୧୭.୭୫ କୁଇଂଟାଲ ଚୁଡ଼ା, ୧.୫ କୁଇଂଟାଲ ଗୁଡ଼, ୫ କୁଇଂଟାଲ ଅନ୍ୟାନ୍ୟ ସାମଗ୍ରୀ ସହିତ ୧୩ କାର୍ଟୁନ ବିସ୍କୁଟ, ୧ କାର୍ଟୁନ ମହମବତୀ ଏବଂ ୧ କାର୍ଟୁନ ଦିଆସିଲି ବଂଟନ କରାଯାଇଛି ।ବନ୍ୟା ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ମୋଟ ୮ଟି ମେଡିକାଲ ଟିମ୍ ମୁତୟନ କରାଯାଇଛି ।

ସେଥିମଧ୍ୟରୁ ଆଳିରେ ୨ଟି, ପଟ୍ଟାମୁଣ୍ଡାଇରେ ୩ଟି, ଇନ୍ଦୁପୁର ଅଂଚଳରେ ୨ଟି ଏବଂ ମାର୍ଶାଘାଇରେ ଗୋଟିଏ ମେଡିକାଲ ଟିମ୍ କାର୍ଯ୍ୟରତ ରହି ପ୍ରଭାବିତ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଓ ଔଷଧ ବଂଟନ କରୁଛନ୍ତି ।ଜିଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ସତର୍କ ନଜର ରଖାଯାଇଥିବା ବେଳେ ସମସ୍ତ ସମ୍ପୃକ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *