ଆସିକା, ପୁରୁଷୋତ୍ତମପୁର ସମେତ ପ୍ରଭାବିତ ଅଞ୍ଚଳରେ ୫,୫୦୦ରୁ ଊର୍ଦ୍ଧ୍ୱ ଖାଦ୍ୟ ପ୍ୟାକେଟ୍ ଓ ରିଲିଫ୍ ସାମଗ୍ରୀ ବଣ୍ଟନ
ଗଞ୍ଜାମ,୦୩/୧୧/୨୦୨୬(ଓଡ଼ିଶା ସମାଚାର)-ସାମ୍ପ୍ରତିକ ବନ୍ୟାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଓ ଅସହାୟ ପରିବାରଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ସମାଜସେବୀ ଡଃ କାବ୍ୟା ପ୍ରିୟା ଧଳ। ତାଙ୍କ ନିଜସ୍ୱ ଉଦ୍ୟମରେ ଆସିକା, ପୁରୁଷୋତ୍ତମପୁର ସମେତ ବନ୍ୟା ପ୍ରଭାବିତ ଅଞ୍ଚଳରେ ୫,୫୦୦ରୁ ଊର୍ଦ୍ଧ୍ୱ ଖାଦ୍ୟ ପ୍ୟାକେଟ୍ ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।
ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଜିଲ୍ଲାର ଅନେକ ଗ୍ରାମାଞ୍ଚଳ ଜଳମଗ୍ନ ହେବା ସହ ଘରଦ୍ୱାର, ଚାଷଜମି ଓ ଜୀବିକା ପ୍ରଭାବିତ ହୋଇଛି। ବିଶେଷକରି ଗରିବ, ଦିନମଜୁରିଆ, ଚାଷୀ ଓ ଆର୍ଥିକ ଦୁର୍ବଳ ପରିବାରମାନେ ଖାଦ୍ୟ ଓ ଦୈନନ୍ଦିନ ଆବଶ୍ୟକତା ପୂରଣରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଏହି ପରିସ୍ଥିତିରେ ଡଃ ଧଳଙ୍କ ପକ୍ଷରୁ ଖାଦ୍ୟ ପ୍ୟାକେଟ୍ ସହ ଚୁଡ଼ା, ଚିନି, ଛତୁଆ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଭାବିତ ପରିବାରଙ୍କୁ ପ୍ରଦାନ କରାଯାଇଛି। ବିପଦ ସମୟରେ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ତୁରନ୍ତ ଆଶ୍ୱସ୍ତି ଦେବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅବସରରେ ଡଃ କାବ୍ୟା ପ୍ରିୟା ଧଳ କହିଛନ୍ତି, “ଗଞ୍ଜାମର ବନ୍ୟା ପରିସ୍ଥିତି ଅତ୍ୟନ୍ତ ଦୁଃଖଦ। ଅନେକ ପରିବାର ନିଜର ଘର, ଜୀବିକା ଓ ଦୈନନ୍ଦିନ ଜୀବନକୁ ନେଇ କଷ୍ଟରେ ଅଛନ୍ତି। ଏଭଳି ସମୟରେ ସେମାନଙ୍କ ପାଖରେ ଛିଡ଼ା ହେବା ଆମ ସମସ୍ତଙ୍କର ମାନବିକ ଦାୟିତ୍ୱ। ଆମର ଏହି ପ୍ରୟାସ ଛୋଟ ହୋଇପାରେ, କିନ୍ତୁ ଆବଶ୍ୟକ ସମୟରେ ଲୋକଙ୍କୁ ସହାୟତା ପହଞ୍ଚାଇବା ହିଁ ପ୍ରକୃତ ମାନବିକତା।”
ସେ ଆହୁରି କହିଛନ୍ତି ଯେ, ବନ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ପରିବାରଙ୍କ ପୁନର୍ବାସ, ଚାଷଜମିର କ୍ଷତି ଭରଣା ଓ ଜୀବିକାର ପୁନରୁଦ୍ଧାର ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ସମାଜର ସମସ୍ତ ସାମର୍ଥ୍ୟବାନ ବ୍ୟକ୍ତି ଓ ସଂଗଠନ ଏହି ସମୟରେ ଗଞ୍ଜାମବାସୀଙ୍କ ସହାୟତା ପାଇଁ ଆଗେଇ ଆସିବାକୁ ସେ ଅନୁରୋଧ କରିଛନ୍ତି।
ମାନବିକତା ହିଁ ସବୁଠାରୁ ବଡ଼ ଧର୍ମ। ବିପଦ ସମୟରେ ପରସ୍ପରର ସହାୟତା ପାଇଁ ଆଗେଇ ଆସିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।
