କଟକ,୦୩/୧୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ମହାନତାର ପରିଚୟ ଦେଲେ କଟକିଆ ପୁଅ। ମୃତ୍ୟୁ ପରେ ବି ଶରୀର ଦାନ କରି ସବୁଦିନ ପାଇଁ ଅମର ହୋଇଗଲେ କଟକର ସୁପୁତ୍ର ତଥା ସଂସ୍କୃତି ଓ ଐତିହ୍ୟର ମଣିଷ ଡ. ଦୀପକ ସାମନ୍ତରାୟ। ଦୀପକ ସାମନ୍ତରାୟଙ୍କ ମରଶରୀରକୁ ଏସ୍ସିବି ମେଡିକାଲର ଅନାଟୋମୀ ବିଭାଗକୁ ଦାନ କରିଛନ୍ତି ପରିବାର ଲୋକେ। ଡାକ୍ତରୀ ଛାତ୍ରଛାତ୍ରୀ ପାଠ ପଢ଼ିବା ଓ ମେଡିକାଲ ଗବେଷଣା ପାଇଁ ଦୀପକ ଜୀବିତ ଅବସ୍ଥାରେ ଶରୀର ଦାନ କରିବାକୁ ଇଚ୍ଛା କରିଥିଲେ। ତେଣୁ ପରିବାର ଲୋକେ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଶରୀର ଦାନ କରିଛନ୍ତି।
ପ୍ରତ୍ୟେକ କଟକିଆ ତଥା ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଅନୁରାଗୀଙ୍କ ପାଖରେ ଏକ ପରିଚିତ ନାମ ହେଉଛନ୍ତି ଡ. ଦୀପକ ସାମନ୍ତରାୟ। କଟକ ଆକାଶବାଣୀର ଅନେକ କାଳଜୟୀ କାର୍ଯ୍ୟକ୍ରମର ଉପସ୍ଥାପକ, ପ୍ରଯୋଜକ ତଥା ଆକାଶବାଣୀର ପୂର୍ବତନ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ଡ. ଦୀପକ ସାମନ୍ତରାୟଙ୍କ ଆଜି ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ ଅକ୍ଟୋବର ୧୫ ତାରିଖରେ ଜ୍ୱର ଯୋଗୁଁ ଗୁରୁତର ହୋଇପଡ଼ିଥିଲେ ଦୀପକ। କିନ୍ତୁ ୧୭ ତାରିଖରେ ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ପରିବାର ଲୋକ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମସ୍ତିଷ୍କ ଆଘାତ କାରଣରୁ ସେ କୋମାରେ ଚାଲିଯାଇଥିଲେ। ତେବେ ଦୀର୍ଘ ୧୫ ଦିନ ତାଳ ହସ୍ପିଟାଲରେ ରହିବା ପରେ ଡାକ୍ତରମାନେ ଆଶା ଛାଡ଼ି ଦେଇଥିଲେ। ଫଳରେ ପରିବାର ଲୋକ ସୋମବାର ରାତିରେ ତାଙ୍କୁ ତାଙ୍କ ଘର କଟକ ଖଟବିନ୍ ସାହି (ରୋଭର ଷ୍ଟ୍ରେଟ୍)କୁ ନେଇ ଆସିଥିଲେ। ମଙ୍ଗଳବାର (୩ ନଭେମ୍ବର) ସକାଳେ ତାଙ୍କର ପରଲୋକ ହୋଇଯାଇଥିଲା। ତେବେ ତାଙ୍କର ଶେଷ ଇଚ୍ଛା ଅନୁସାରେ ତାଙ୍କ ମରଶରୀରକୁ କଟକ ଏସ୍ସିବି ମେଡିକାଲର ଅନାଟୋମୀ ବିଭାଗକୁ ପରିବାର ଲୋକେ ଦାନ କରିଛନ୍ତି। ପରିବାର ଲୋକ, ସଂପର୍କୀୟ ଓ ସାହିତ୍ୟ, ସଂସ୍କୃତି, ଐତିହ୍ୟ ଅନୁରାଗୀଙ୍କ ସହ କଟକ ଆକାଶବାଣୀର ବହୁ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ପତ୍ନୀ ଦମୟନ୍ତୀ ମିଶ୍ର (ଦୀପ), ଏକମାତ୍ର କନ୍ୟା ଦୀକ୍ଷା ଓ ଜ୍ୱାଇଁ, ଦୀପକଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି।
କଟକର ଖଟବିନ୍ ସାହି (ରୋଭର୍ସ ଷ୍ଟ୍ରେଟ୍) ଅଞ୍ଚଳରେ ୧୯୫୭ ମସିହା ଜୁଲାଇ ୨୨ ତାରିଖରେ ଏକ ପ୍ରସିଦ୍ଧ ଐତିହ୍ୟ ଅନୁରାଗୀ ପ୍ରଫେସର କୃତିବାସ ସାମନ୍ତରାୟଙ୍କ ନାତି ଭାବେ ଜନ୍ମଗ୍ରହଣ କରିଥିଲେ ଦୀପକ। ତାଙ୍କ ବାପା ଥିଲେ ଜଣେ ଜଣାଶୁଣା ଆଇନଜୀବୀ। ରେଭେନ୍ସା କଲିଜିଏଟ୍ ସ୍କୁଲ, ରେଭେନ୍ସା କଲେଜ ଓ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ସେ ନିଜର ଗ୍ରାଜୁଏସନ୍ ଓ ଇତିହାସରେ ପିଜି ଶେଷ କରିବା ପରେ ଇତିହାସ, ସଂସ୍କୃତି, ସାହିତ୍ୟକୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୮୦ ମସିହାରେ ଜଣେ ରେଡିଓ ରିପୋର୍ଟର ଭାବେ ଆକାଶବାଣୀରେ ପ୍ରବେଶ କରି ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମ ନିଷ୍ପାଦକ, ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ତେବେ ଭୁବନେଶ୍ୱରସ୍ଥିତ ନେସ୍ନାଲ୍ ଏକାଡେମୀ ଅଫ୍ ବ୍ରଡ୍କାଷ୍ଟିଂ ଆଣ୍ଡ ମଲ୍ଟିମିଡ଼ିଆ (ଏନ୍ଏବିଏମ୍)ର ନିର୍ଦ୍ଦେଶକ ଭାବେ ସେ ଅବସର ଗ୍ରହଣ କରିଥିଲେ। ଜଣେ ଉପସ୍ଥାପକ, ଲେଖକ, ପ୍ରଯୋଜକ, ଗଣମାଧ୍ୟମ ପ୍ରଶାସକ, ତାଲିମଦାତା ଭାବେ ଦୀପକ ବେଶ ପରିଚିତ ଥିଲେ। ପ୍ରସାରଣ ଦୁନିଆରେ ତାଙ୍କ ସ୍ୱର ଓ କଥା ଶ୍ରୋତାଙ୍କ ହୃଦୟକୁ ଛୁଇଁ ପାରିଥିଲା। ତାଙ୍କ ସ୍ୱରରେ ‘ଆଜିର ଅନୁଚିନ୍ତା’, ‘ଶାନ୍ତ ମନ, ସୁସ୍ଥ ଜୀବନ’ ଭଳି ଅନେକ କାର୍ଯ୍ୟକ୍ରମ ଆଜି ବି ଶ୍ରୋତାଙ୍କ ସ୍ମୃତିରେ ସାଇତା ହୋଇରହିଛି।
ଆକାଶବାଣୀ ବ୍ୟତିତ ଜଣେ ଲେଖକ ଓ କବି ଭାବେ ଦୀପକ ଉଭୟ ଇଂରାଜୀ ଓ ଓଡ଼ିଆରେ ଶତାଧିକ କବିତା, ସଂସ୍କୃତି ଓ ଐତିହ୍ୟ ରଚନା ମାନ ଲେଖିଯାଇଛନ୍ତି। ଜଣେ ଫଟୋଗ୍ରାଫର ଓ ଫଟୋପ୍ରେମୀ ଭାବେ ସେ ଅନେକ ଐତିହ୍ୟ ଫଟୋ ସବୁ ତାଙ୍କ କ୍ୟାମେରା ଫ୍ରେମ୍ରେ ବାନ୍ଧି ରଖିଛନ୍ତି। ସେ ମଧ୍ୟ ଜଣେ ଅଧ୍ୟାପକ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ଢେଙ୍କାନାଳ ଆଇଆଇଏମ୍ସିରେ ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗରେ ପାଠ ପଢ଼ାଉଥିଲେ। ତେବେ ଇତିହାସର ଛାତ୍ର ତଥା ଐତିହ୍ୟ ଅନୁରାଗୀ ଦୀପକ ଅବସର ପରେ କଟକର ପ୍ରାଚୀନ ଐତିହାସିକ କୀର୍ତ୍ତିରାଜିର ଉନ୍ମୋଚନ ପାଇଁ ଆରମ୍ଭ କରିଥିଲେ ‘କଟକ ହେରିଟେଜ୍ ୱାକ୍’ (ସିଏଚ୍ଡବ୍ଲୁ) ଓ ସାଂସ୍କୃତିକ ପ୍ଲାଟ୍ଫର୍ମ ‘ଚା-ଖଟି’। ରାଜ୍ୟର ଐତିହ୍ୟ ଗବେଷଣା ଉପରେ ଦୀପକ ସାମନ୍ତରାୟଙ୍କ ଅନେକ ଅବଦାନ ରହିଛି।
ସର୍ବଦା ଯୁବ ସୁଲଭ ବ୍ୟକ୍ତିତ୍ୱ, ସଂସ୍କୃତି ପ୍ରେମୀ, ସାହିତ୍ୟ ପ୍ରେମୀ, ଐତିହ୍ୟ ଅନୁରାଗୀ, ଦୀପକ ସାମନ୍ତରାୟଙ୍କ ଏମିତି ଅକାଳ ବିୟୋଗ ବ୍ୟଥିତ କରି ରେଡିଓ ଓ ସାହିତ୍ୟ ସଂସ୍କୃତିପ୍ରେମୀଙ୍କୁ। ଦୀପକଙ୍କ ବିୟୋଗରେ କଟକର ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି।
