କେମିତି ଜାଣିପାରିଲାନି ଲୋକାଲ ଫଣ୍ଡ ଅର୍ଡିଟ ପାର୍ଟି
କେନ୍ଦ୍ରାପଡ଼ା,୦୩/୧୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ପ୍ରଶାସନରେ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସରକାରୀ ପାଣ୍ଠି ହେରଫେର ଘଟଣା ଏବେ ସମଗ୍ର ଜିଲା ତଥା ରାଜ୍ୟ ରାଜନୀତି ଓ ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି କରିଛି । ସାଧାରଣ ଲୋକଙ୍କ ଉନ୍ନୟନ ପାଇଁ ଉଦ୍ଧିଷ୍ଟ କୋଟି କୋଟି ଟଙ୍କାର ଏହି ମହାଦୁର୍ନୀତି ଏବେ ପଦାରେ ପଡ଼ିବା ପରେ ପ୍ରଶାସନର କାର୍ଯ୍ୟଦକ୍ଷତା ଓ ସ୍ୱଚ୍ଛତା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଗତ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ସମସ୍ତ ଆର୍ଥିକ କାରବାରର ବିସ୍ତୃତ ତଦନ୍ତ କରିବାକୁ ନିର୍ଦେଶ ଦେଇସାରିଛନ୍ତି । ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ୁଥିବା ବେଳେ ବ୍ଲକ ପ୍ରଶାସନର ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହି ବହୁଚର୍ଚ୍ଚିତ ହେରଫେର ଘଟଣାରେ ସିଧାସଳଖ ସଂପୃକ୍ତ ଥିବା କିରାଣୀ ଶଶିକାନ୍ତ ରଣା ଏକାସାଙ୍ଗରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ ।
ସେ ବ୍ଲକର ଏଷ୍ଟାବ୍ଲିସମେଂଟ, ସେକସନ ଅଫିସର ଏବଂ କ୍ୟାସିୟର ଭଳି ସମ୍ବେଦନଶୀଳ ପଦବୀରେ ରହି ଏହାକୁ ଏକାକୀ ନିୟନ୍ତ୍ରଣ କରୁଥିଲେ । ସରକାରୀ ନିୟମ ଅନୁଯାୟୀ ଆର୍ଥିକ କାରବାର ତଦାରଖ ଏବଂ ହିସାବ ନିକାଶ ଭିନ୍ନ ଭିନ୍ନ ଅଧିକାରୀଙ୍କ ଦ୍ୱାରା ହେବା କଥା, କିନ୍ତୁ ଗୋଟିଏ ହାତରେ ସମସ୍ତ ଚାବିକାଠି ରହିବା ଯୋଗୁଁ ଏଭଳି ବ୍ୟାପକ ହେରଫେର ସମ୍ଭବ ହୋଇପାରିଲା ବୋଲି ଚର୍ଚ୍ଚା ହେଉଛି । ଘଟଣାଟି ଲୋକଲୋଚନକୁ ଆସିବା ପରଠାରୁ ଉକ୍ତ କିରାଣୀ ଗତ ଅକ୍ଟୋବର ୧୫ ତାରିଖରୁ ଛୁଟିରେ ଚାଲିଯାଇଛନ୍ତି ଏବଂ ସେ କେବେ ଛୁଟିରୁ ଫେରିବେ ତାହା କେହି କହିପାରୁନାହାନ୍ତି । ତାଙ୍କର ଏଭଳି ରହସ୍ୟଜନକ ଅନୁପସ୍ଥିତି ସନ୍ଦେହକୁ ଆହୁରି ଘନୀଭୂତ କରିଛି । ସବୁଠାରୁ ଆଶ୍ଚର୍ଯ୍ୟ ଓ ଉଦ୍ବେଗଜନକ ବିଷୟ ହେଉଛି ଯେ ନିକଟରେ ଡେରାବିଶ ବ୍ଲକରେ ସରକାରୀ ‘ଲୋକାଲ ଫଣ୍ଡ ଅଡିଟ’ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ ପ୍ରତ୍ୟେକଟି ଟଙ୍କାର ଆୟ-ବ୍ୟୟ ଯାଂଚ କରିବା ପାଇଁ ଉଦ୍ଧିଷ୍ଟ ଏହି ବଳିଷ୍ଠ ଅଡିଟ ଟିମ୍ କିପରି ଏତେ ବଡ଼ ହେରଫେରକୁ ଧରିପାରିଲେ ନାହିଁ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । ଅଡିଟ୍ ପ୍ରକ୍ରିୟା ଚାଲିଥିବା ବେଳେ କୋଟିଏରୁ ଅଧିକ ଟଙ୍କାର ବେହିସାବୀ କାରବାର ଅଡିଟରଙ୍କ ନଜରରୁ କିପରି ଖସିଗଲା?
ଏହା କେବଳ ଦାୟିତ୍ୱହୀନତା ନା ଅଡିଟ୍ ଅଧିକାରୀଙ୍କ ସହିତ ମଧୁଚନ୍ଦ୍ରିକାର ଫଳାଫଳ, ତାହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତଦନ୍ତ ଦାବି କରିଛନ୍ତି । ଏହି ଦୁର୍ନୀତି କେବଳ ଜଣେ ସାଧାରଣ କିରାଣୀଙ୍କ ଦ୍ୱାରା ଏକାକୀ ସମ୍ଭବ ନୁହେଁ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ବ୍ଲକର ତତ୍କାଳୀନ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅଜାଣତରେ ଏତେ ବଡ଼ ଅର୍ଥ ହରିଲୁଟ୍ ହେବା ଅସମ୍ଭବ । ତେଣୁ ଭିଜିଲାନ୍ସ କେବଳ କିରାଣୀଙ୍କ ଉପରେ ସୀମିତ ନରହି, ୨୦୨୦ ପରଠାରୁ ଦାୟିତ୍ୱରେ ଥିବା ବିଡ଼ିଓ, ଏବିଡ଼ିଓ ଏବଂ ଅଡିଟ୍ ଟିମ୍ ର ସଦସ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ଉଠିଛି । ଡେରାବିଶ ଭଳି ଏକ ଅଂଚଳରେ ବିକାଶମୂଳକ କାର୍ଯ୍ୟ ପାଇଁ ଆସୁଥିବା ଜନସାଧାରଣଙ୍କ ଝାଳବୁହା ଧନକୁ ଯେଉଁଭଳି ଭାବେ ଲୁଟ୍ କରାଯାଇଛି, ତାହାର ନିରପେକ୍ଷ ତଦନ୍ତ ହୋଇ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ନଚେତ୍ ସରକାରୀ ବ୍ୟବସ୍ଥା ଓ ଅଡିଟ୍ ପ୍ରକ୍ରିୟା ଉପରୁ ସାଧାରଣ ଜନତାଙ୍କ ଭରସା ସମ୍ପୂର୍ଣ୍ଣ ତୁଟିଯିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।
