ଭୁବନେଶ୍ୱର,୨୭/୦୭/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ବରଗଡ଼ ଜିଲା ଭଟଲି ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ପରଲୋକ ହୋଇଛି। ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ରବିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ସ୍ବର୍ଗତ ସିଂହ ବିଜେଡିର ଜଣେ ଆଗଧାଡ଼ିର ନେତା ଥିଲେ। ଗତ ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ୩ଥର ବରଗଡ଼ ଜିଲା ଭଟଲି ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ନବୀନ ପଟ୍ଟନାୟକଙ୍କ ସରକାରରେ ଶ୍ରମମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ସହିତ ସେ ବରଗଡ଼ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀରେ ମଧ୍ୟ ଥିଲେ।
ବରଗଡ଼ ଜିଲା ସୋହେଲା ବ୍ଲକ ବାଉଶେନମୁରା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ସିଂହଙ୍କ ପରଲୋକରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
ସେ ଦୀର୍ଘଦିନ ଧରି ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା, ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ତାଙ୍କ ଦେହାନ୍ତ ଖବର ପାଇ ରାଜ୍ୟର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଜେଡି ସମେତ ବିଭିନ୍ନ ଦଳର ନେତାମାନେ ତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି।
ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ନବୀନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶୋକ ପ୍ରକାଶ କରି କହିଛନ୍ତି, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ସୁଶାନ୍ତ ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗରେ ଦଳ ଜଣେ ଦକ୍ଷ ସଙ୍ଗଠକ ତଥା ଲୋକପ୍ରିୟ ନେତାଙ୍କୁ ହରାଇଲା। ବିଜୁ ଜନତା ଦଳକୁ ମଜଭୁତ କରିବା ସହ ଲୋକଙ୍କ ସେବାରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।
