ବିଞ୍ଝାରପୁର ବ୍ଲକର ହୋଟେଲରୁ ଜଣେ ଶିଶୁ ଶ୍ରମିକ ଉଦ୍ଧାର

ଶିଶୁ ଶ୍ରମମୁକ୍ତ ଜିଲ୍ଲା ଗଠନ ଦିଗରେ ସମସ୍ତ ଜନସାଧାରଣ, ନିଯୁକ୍ତିଦାତା ଓ ସମ୍ପୃକ୍ତ ସଂସ୍ଥାମାନଙ୍କ ସହଯୋଗ କାମନା

ଯାଜପୁର,୨୭/୧୦/୨୦୨୬(ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ଚାଲିଥିବା ୪୪ ଦିନିଆ ରାଜ୍ୟବ୍ୟାପୀ ଶିଶୁ ଶ୍ରମମୁକ୍ତ ଜିଲ୍ଲା ଅଭିଯାନର ଅଂଶସ୍ୱରୂପ, ଜିଲ୍ଲା ଶ୍ରମ ଅଧିକାରୀ (ଏନ୍‌ଫୋର୍ସମେଣ୍ଟ), ଯାଜପୁର ଶ୍ରୀ ଦିପ୍ତୀ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଞ୍ଝାରପୁର ବ୍ଲକର ବିଭିନ୍ନ ପ୍ରତିଷ୍ଠାନରେ ଚଢ଼ାଉ ଓ ଯାଞ୍ଚ କରାଯାଇଥିଲା।

ଏହି ଅଭିଯାନରେ ସହକାରୀ ଶ୍ରମ ଅଧିକାରୀ ଶତରୂପା ସାହୁଙ୍କ ସହିତ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଶ୍ରୀମତୀ ଅରୁଣା ଦାସ ଓ ଶ୍ରୀ ଚକ୍ରଧର ପଣ୍ଡା, ପୁଲିସ ଅଧିକାରୀ ଏଏସ୍‌ଆଇ ଶ୍ରୀ ଜଳଧର ସାହୁ ଓ ଏଏସ୍‌ଆଇ ସୁଶ୍ରୀ ପୁଷ୍ପାଞ୍ଜଳି ବିଶ୍ୱାଳଙ୍କ ସମେତ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ (DLTF)ର ଅନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ।

ଏହି ଚଢ଼ାଉ ସମୟରେ ଗୋଟିଏ ହୋଟେଲରେ କାର୍ଯ୍ୟରତ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁଙ୍କୁ ଆବଶ୍ୟକ ପୁନର୍ବାସ ଓ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ନିମନ୍ତେ ଯାଜପୁର ଶିଶୁ ମଙ୍ଗଳ କମିଟି (CWC)ଙ୍କ ନିକଟରେ ଉପସ୍ଥାପନ କରାଯାଇଛି।

ସମ୍ପୃକ୍ତ ନିଯୁକ୍ତିଦାତାଙ୍କ ବିରୁଦ୍ଧରେ ପ୍ରଚଳିତ ଆଇନର ସମ୍ପୃକ୍ତ ବ୍ୟବସ୍ଥା ଅନୁଯାୟୀ ଶ୍ରମ ବିଭାଗ ପକ୍ଷରୁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଶିଶୁ ଶ୍ରମିକଙ୍କ ଚିହ୍ନଟ, ଉଦ୍ଧାର, ପୁନର୍ବାସ ଏବଂ ଶିଶୁ ଶ୍ରମ ପ୍ରଥାର ନିରାକରଣ ନିମନ୍ତେ ଶ୍ରମ ବିଭାଗ ପକ୍ଷରୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯାଉଛି। ଏକ ଶିଶୁ ଶ୍ରମମୁକ୍ତ ଜିଲ୍ଲା ଗଠନ ଦିଗରେ ସମସ୍ତ ଜନସାଧାରଣ, ନିଯୁକ୍ତିଦାତା ଓ ସମ୍ପୃକ୍ତ ସଂସ୍ଥାମାନଙ୍କ ସହଯୋଗ କାମନା କରାଯାଇଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *