ଓୟୁଏଟି ତରଫରୁ ପାକଶାଳା ବଗିଚା  ସମ୍ବନ୍ଧୀୟ ତାଲିମ ଶିବିର

ଜଗତସିଂହପୁର ୨୭/୧୦/୨୦୨୬(ଓଡ଼ିଶା ସମାଚାର)- ସର୍ବଭାରତୀୟ ସମନ୍ଵିତ ପନିପରିବା ଫସଲ ଗବେଷଣା ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ମିଳିତ ପ୍ରୟାସରେ ସଂପ୍ରତି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏରସମା ବ୍ଲକର ଅଚ୍ୟୁତଦାସପୁର ଗ୍ରାମରେ ଅନୁସୂଚିତ ଜାତି ଉପଯୋଜନା ଆନୁକୁଲ୍ୟରେ ଏକ କୃଷକ ପାକଶାଳା ତାଲିମ  ଶିବିର ଓ କୃଷି ସାମଗ୍ରୀ ବିତରଣ   କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଚ୍ୟୁତଦାସପୁର ଗ୍ରାମ ଓ ଆଖପାଖ ଗ୍ରାମର ୬୦ ରୁ  ଅଧିକ ଅନୁସୂଚିତ ଜାତିର କୃଷକ ଓ କୃଷି ମହିଳା ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ଼ଃ. ଜୀବନଜିତ୍ ସେନ୍ ପରିଚାଳନା କରିଥିଲେ।ଏହି ଅବସରରେ ଅଖିଳ ଭାରତୀୟ ପନିପରିବା ଫସଲ ଗବେଷଣା ପ୍ରକଳ୍ପ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର  ମୁଖ୍ୟ ବୈଜ୍ଞାନିକ ଡ଼ଃ ଅନିତା ମହାନ୍ତି  ଯୋଗଦେଇ କିପରି ବୈଜ୍ଞାନିକ ପ୍ରଣାଳୀରେ ପାକଶାଳା ବଗିଚାର ପରିଚାଳନା ହୋଇପାରିବ ଚାଷୀ ମାନଙ୍କୁ ବୁଝାଇଥିଲେ । ଏହି ପ୍ରକଳ୍ପର ଅନ୍ୟତମ ବୈଜ୍ଞାନିକ ଡ଼ଃ ସୂଜନୀ ବେହେରା, ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପନିପରିବାରେ ରୋଗ ପୋକ ପରିଚାଳନା ଉପରେ ଗୁରୁତ୍ବ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ  ଡ଼ଃ ଦେବାଶିଷ ପଣ୍ଡା ଏବଂ  ଡ଼ଃ ପ୍ରଦୀପ୍ତ ମାଝୀ  ଶୀତ  ଦିନିଆ ପନିପରିବା ର ରୋଗ ପୋକ ପରିଚାଳନା ଏବଂ ମୃତ୍ତିକା  ସ୍ୱାସ୍ଥ୍ୟ  ଉପରେ ଗୁରୁତ୍ୱ ଦେଇଥିଲେ। ।ଏଥିରେ ଏରସମା ବ୍ଲକ ର ସହକାରୀ କୃଷି ଅଧିକାରୀ ଲିପ୍ସାରାଣୀ ବେହେରା ଯୋଗଦେଇ ପାକଶାଳା ବଗିଚା ବିଷୟରେ ଆଲୋଚନା କରିଥିଲେ । ପ୍ରକଳ୍ପ ତରଫରୁ ଓୟୁଏଟି ର  ଉନ୍ନତ ମାନର ମଞ୍ଜି, ପୋଟ୍ରେ,ସ୍ପ୍ରେୟର,ଜାଲ ଇତ୍ୟାଦି  ପ୍ରଦାନ କରାଯାଇଥିଲା । ଏହା ସହିତ କୃଷି ବିଜ୍ଞାନ କେନ୍ଦ୍ରର ତରଫରୁ ଖେତ ବଞ୍ଚାଅ  ଅଭିଯାନ ସମ୍ବନ୍ଧୀୟ ପରାମର୍ଶ ଦିଆଯାଇଥିଲା ।  ଏହି କାର୍ଯ୍ୟକ୍ରମ ଦ୍ଵାରା ଗ୍ରାମବାସୀ  ଅନୁସୂଚିତ ଜାତି କୃଷକ ମାନଙ୍କର ଆର୍ଥିକ ସ୍ଥିତି ସୃଦୃଢ଼ ହେବ ବୋଲି ଆଶା ପ୍ରକାଶ କରିଥିଲେ। ପରିଶେଷରେ ଉକ୍ତ ଗ୍ରାମର  କୈଳାସ ଜୟସିଂ  ଧନ୍ୟବାଦ ଅର୍ପଣ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *