କେନ୍ଦ୍ରାପଡ଼ାର,୧୬/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରେ ଶୁକ୍ରବାର ଚଢ଼ାଉ କରାଯାଇଛି। କେନ୍ଦ୍ରାପଡ଼ାରେ ତାଙ୍କ କାର୍ଯ୍ୟାଳୟ, କଟକସ୍ଥିତ କଲ୍ୟାଣୀନଗର ଏବଂ ଭୁବନେଶ୍ୱରର ଲିଙ୍ଗିପୁର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।ଏହି ଚଢାଉରେ ୪ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । କଟକ ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଏହି ଚଢାଉ ହୋଇଛି । କଟକର କଲ୍ୟାଣନଗର ସ୍ଥିତ ଘର, ଭୁବନେଶ୍ୱର ଲିଙ୍ଗିପୁର ସ୍ଥିତ ଦୁଇ ମହଲା କୋଠା, କେନ୍ଦ୍ରାପଡା ସ୍ଥିତ କାର୍ଯ୍ୟାଳୟ ଓ କଟକ ନୂଆପଡା ସ୍ଥିତ ପୈତୃକ ଘର ଏବଂ ସମ୍ପର୍କୀୟଙ୍କ ଘରେ ଭୋର ୪ଟା ସମୟରୁ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଚଢ଼ାଉ ଜାରି ରହିଥିବାରୁ ପ୍ରଦୀପଙ୍କର କେତେ ଟଙ୍କାର ସମ୍ପତ୍ତି ରହିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଚଢ଼ାଉ ସରିବା ପରେ ହିଁ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଜଣେ ଭିଜିଲାନ୍ସ ଅଧିକାରୀ କହିଛନ୍ତି।