ତହସିଲ ସମ୍ମୁଖରେ ଜନୈକା ଯୁବତୀ ଙ୍କ ଆତ୍ମାହୁତି ଉଦ୍ୟମ
କଟକ ସଦର ,୨୭/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲରେ ଆଜି ସୋମବାର ଦିନ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେଙ୍କ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ କମଲଜିତ୍ ଦାସ, ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ନାୟକ,ଉପ ଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଉମାକାନ୍ତ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, କଟକ ସଦର ଵିଡିଓ ପ୍ରତୀକ ସାହୁ, ସାଲେପୁର ଵିଡିଓ ଲୋପାମୁଦ୍ରା ନାୟକ, ନିଶ୍ଚିନ୍ତକୋଇଲି ଵିଡିଓ ଦିଵ୍ୟେନ୍ଦୁ ଦାସ ପ୍ରମୁଖଙ୍କ ସହିତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ର ଶହେରୁ ଉର୍ଦ୍ଧ୍ବ ଅଧିକାରୀ ଯୋଗ ଦେଇଥିଲେ।
ପ୍ରଚାର ପ୍ରସାର ଅଭାବରୁ ଜିଲ୍ଲାପାଳଙ୍କ ଏହି ଅଭିଯୋଗ ଶିବିରରେ ମାତ୍ର ୫୪ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଗୁଡିକର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିଶନନଗର ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବକୁ ନେଇ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ସିଡିଏମଓ ଙ୍କୁ ନିର୍ଦେଶ ଦେବାରେ ଗୋଟିଏ ସପ୍ତାହ ମଧ୍ୟରେ ଏଠାରେ ସ୍ଥାୟୀ ଡାକ୍ତର ଯୋଗାଇ ଦେବେ ବୋଲି ଅଭିଯୋଗକାରୀ ଙ୍କୁ ସିଡିଏମଓ କହିଥିଲେ। 
ସେହିପରି କିଶନନଗର ଥାନା ଅଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ମଣିଜଙ୍ଗ ଅଞ୍ଚଳର ଜନୈକା ଯୁବତୀ ସବିତା ଜେନା ତହସିଲ ସମ୍ମୁଖରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିବା ସମୟରେ ପୋଲିସ ତାଙ୍କୁ କାବୁ କରିଥିବା ଜଣାଯାଇଛି।
ଶିଵିର ପରିଚାଳନାରେ ତହସିଲଦାର କ୍ଷିରୋଦ କୁମାର ଦାଶ ଙ୍କ ସମେତ ତହସିଲର ସମସ୍ତ କର୍ମଚାରୀ ସହାୟତା କରିଥିଲେ।
