ଜଗତସିଂହପୁର,୨୭/୧୦/୨୦୨୬(ଓଡ଼ିଶା ସମାଚାର)- ପଶ୍ଚିମମଧ୍ୟ୍ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଅର୍ଣ୍ଣବ ବାତ୍ୟା ର ରୂପ ନେଇ ସମୁଦ୍ର ମଧ୍ୟରେ ଗତି କରି ୨୮/୧୦/୨୬ ପୂର୍ବାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶ ଓ ୟାନମ୍ ରେ ସ୍ଥଳଭାଗ ଛୁଇଁବା ର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଯାଇଛି। ଜିଲ୍ଲା ରେ ସାମ୍ଭାବ୍ୟ ବାତ୍ୟା ପ୍ରଭାବର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି। ଜଗତସିଂହପୁର ଜିଲ୍ଲାରେ ୨୮/୧୦/୨୬ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ନିଙ୍ଗ ସହ ବର୍ଷା ଏବଂ ଘଣ୍ଟା ପ୍ରତି ୪୦ କିମି ରୁ ୫୦ କିମି ବେଗରେ ପବନ ସହ ଘଡଘଡି ଓ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୨୯ ତାରିଖ ୟେଲୋ ଜୋନ ରେ ରହିଛି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ, ଏଡେଡ, ବିଦ୍ୟାଳୟ ଓ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ୨୭/୧୦/୨୬ ଓ ୨୮/୧୦/୨୬ ତାରିଖ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲା ର ସମସ୍ତ ବ୍ଲକ୍, ଲାଇନ୍ ବିଭାଗ ଆଦି ସତର୍କ ରହିଛନ୍ତି। ସମସ୍ତ ଆଶ୍ରୟସ୍ଥଳୀ କୁ ଅତ୍ୟାବଶ୍ୟକ ସୁବିଧା ସହ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାରେ ୧ ଏନ୍ ଡି ଆର ଏଫ ଟିମ୍ ଜଗତସିଂହପୁର ରେ, ୩ ଟି ଓଡ଼୍ରାଫ୍ ଟିମ୍ ପାରାଦ୍ୱିପ, ଏରସମା ଓ ଜଗତସିଂହପୁର ରେ ଆଲର୍ଟ ରହିଛନ୍ତି।
ଏଥି ସହିତ ୮ ଟି ବ୍ଲକ୍ ରେ ଫାୟାର ଟିମ୍ ସଜାଗ ରହିଛି ବୋଲି ଜିଲ୍ଲା ଜରୁରକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜିଲ୍ଳା ପ୍ରଶାସନ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ର ପରିସ୍ଥିତ ଓ ସୂଚନା ଅନୁଯାୟୀ ଜିଲ୍ଲା ପ୍ରତି ସେପରି କିଛି ବିପଦ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଜନସାଧାରଣ ଙ୍କୁ ଏଥିପାଇଁ ଭୟଭୀତ ନ ହୋଇ, ଗୁଜବର ଶୀକାର ନ ହୋଇ ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
