ଶିବାଜୀ ସାଂସ୍କୃତିକ ସଂଘ ପକ୍ଷରୁ ସମାଜସେବୀ ରାମଚନ୍ଦ୍ର ମହାନ୍ତଙ୍କର ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର,୧୨/୦୭/୨୦୨୬(ଓଡ଼ିଶା ସମାଚାର)- ଶିବାଜୀ ସାଂସ୍କୃତିକ ସଂଘ ତରଫରୁ ବିଶିଷ୍ଟ ଲେଖକ, ଐତିହାସିକ ଓ ସମାଜସେବୀ ରାମଚନ୍ଦ୍ର ମହାନ୍ତଙ୍କର ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ସି.ୱାଇ.ଏସ୍.ଡି. ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ଶିବାଜୀ ସାଂସ୍କୃତିକ ସଂଘର ସଭାପତି ଜନାର୍ଦ୍ଧନ ମହାନ୍ତ ଅଧ୍ୟକ୍ଷତା କରିଥିଲା ବେଳେ ସଂଘର ପ୍ରାକ୍ତନ ସଭାପତି ପ୍ରଭାସ ଚନ୍ଦ୍ର ମହାନ୍ତ ମୁଖ୍ୟ ଅତିଥି ଭାବେ ଏବଂ ବିଶିଷ୍ଟ ସମାଜସେବୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାମଚନ୍ଦ୍ର ମହାନ୍ତଙ୍କର ଜୀବନଶୈଳୀ କାର୍ଯ୍ୟଧାରା ଓ ସମାଜରେ ଗରିବ ଏବଂ ଅସହାୟ ଲୋକଙ୍କର ଉନ୍ନତି ପାଇଁ ସାରା ଜୀବନ ଚେଷ୍ଟା ଜାରି ରଖିଥିବା ରାମଚନ୍ଦ୍ର ମହାନ୍ତଙ୍କର ଉପରେ ଆଲୋଚନା କରିଥିଲେ ।

ଏହି ସଭାରେ ସଂଯୋଜକ ଭାବେ ଅର୍ନ୍ତରାଷ୍ଟ୍ରୀୟ ଇଂରାଜୀ ପତି୍ରକା ‘ଇଟରନିଟି’ର ସମ୍ପାଦକ ହରେକୃଷ୍ଣ ମହାନ୍ତ ପ୍ରାରମ୍ଭିକ ଅଭିଭାଷଣ ଦେଇ ରାମଚନ୍ଦ୍ର ବାବୁ ପ୍ରତିଷ୍ଠା କରିଥିବା ଶିବାଜୀ ସାଂସ୍କୃତିକ ସଂଘ ଓ ତାଙ୍କର ସମାଜସେବୀ, ସାହିତ୍ୟ ସାଧନ ଉପରେ ଗଭୀର ଆଲୋକପାତ କରିଥିଲେ । ୧୯୮୩ ମସିହାରେ ଗଢ଼ା ହୋଇଥିବା ଶିବାଜୀ ସାଂସ୍କୃତିକ ସଂଘ ବହୁ ଲେଖକଙ୍କୁ ପ୍ରୋତ୍ସାହନ ଦେଇଆସୁଥିଲା ବେଳେ ରାମଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଭଗବାନ ବୁଦ୍ଧ, ଆମେରିକା ଅନୁଭବ, କାର୍ଲିଫର୍ଣ୍ଣିଆ ଡାଏରୀ, ଭଗବାନ ମହାବୀର ପରି ୯ଟି କାଳଜୟୀ ପତି୍ରକା ରଚନା କରି ଓଡ଼ିଶାର ସମ୍ମାନ ବଦ୍ଧିତ କରିଥିଲେ ।

ମୁଖ୍ୟବକ୍ତା ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ ରାମଚନ୍ଦ୍ର ବାବୁ ନିଜର ନିଷ୍ଠାପର ଉଦ୍ୟମ ଯୋଗୁଁ ଅଖିଳ ଭାରତୀୟ କୁର୍ମୀକ୍ଷେତ୍ରୀୟ ମହାସଭା ସହିତ ଓଡ଼ିଶାକୁ ଯୋଡ଼ି ଭୁବନେଶ୍ୱରରେ ଏହି ମହାସଭାର ବିଭିନ୍ନ ଉନ୍ନତିମୂଳକ ଓ ସଂସ୍କାରଧର୍ମୀ କାର୍ଯ୍ୟକ୍ରମକୁ ଜାଗରଣ ଓ ଦ୍ୱନ୍ଦ୍ୱଭି ପତି୍ରକା ମାଧ୍ୟମରେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ତାରାଚାନ୍ଦ ମହାନ୍ତ, ଦୁସ୍ମନ୍ତ ମହାନ୍ତ, ଇଂଜିନିୟର ସୁରେଶ ଚନ୍ଦ୍ର ମହାନ୍ତ, ଇନ୍ଫୋସିସ୍ର ଗ୍ରୁପ୍ ମ୍ୟାନେଜର ସତ୍ୟବ୍ରତ ମହାନ୍ତ, ସି,ଇ.ଓ. ଯୋଗେଶ୍ୱର ପ୍ରଭାକର, ଓ.ଏମ୍.ସି.ର ସିନିୟର ମ୍ୟାନେଜର ଶିବାନୀ ମହାନ୍ତ, ସମାଜସେବୀ ରଶ୍ମିରେଖା ମହାନ୍ତ, ସୁଧୀର ମଉଡ଼ମଣି, ବିଷ୍ଣୁପ୍ରିୟା, ସୁନିତା, କଳ୍ପଲତା ଆଦି ବିଶିଷ୍ଟ ଅତିଥିମାନଙ୍କ ଗହଣରେ ରାମଚନ୍ଦ୍ର ମହାନ୍ତଙ୍କର ଉପରେ ଲିଖିତ ଏକ ସ୍ମରଣିକା ଲୋକାର୍ପଣ କରାଯାଇଥିଲା ।

ବିଶିଷ୍ଟ ସଂଗଠକ, ସମାଜସେବୀ, ଦୟାଳୁବ୍ୟକ୍ତି, ଲେଖକ, ଐତିହାସିକ, ଗାଳ୍ପିକ ଓ ଭ୍ରମଣ କାହାଣୀ ଲେଖକ ଭାବରେ ଓଡ଼ିଶାରେ ବେଶ୍ ଜଣାଶୁଣା ଓ ବହୁ ସମ୍ମାନରେ ସମ୍ମାନିତ ହୋଇଥିବା ରାମଚନ୍ଦ୍ର ମହାନ୍ତଙ୍କର ଉପସ୍ଥିତ ଅତିଥିବୃନ୍ଦ ସ୍ମୃତିଚାରଣ କରିଥିଲେ । ମୁଖ୍ୟ ଅତିଥି ପ୍ରଭାସ ମହାନ୍ତ ରାମଚନ୍ଦ୍ର ବାବୁଙ୍କ ସହ ତାଙ୍କର ଦୀର୍ଘଦିନର ସାଙ୍ଗଠନିକ ଓ ସଂସ୍କାର ତଥା ସାହିତ୍ୟଗତ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ସର୍ବଶେଷରେ ଶିବାଜୀ ସାଂସ୍କୃତିକ ସଂଘର ସମ୍ପାଦକ କମଳ ଲୋଚନ ମହାନ୍ତ ସଭିଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *