କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ଗାନ୍ଧିମୂର୍ତି ସମ୍ମୁଖରେ ଗଣ ସତ୍ୟାଗ୍ରହ
କେନ୍ଦ୍ରାପଡ଼ା,୧୨/୦୭/୨୦୨୬ (ଓଡ଼ିଶା ସମାଚାର)- ନିଟ୍ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହୋଇଥିବା ଦୃଷ୍ଟିରୁ କକ୍ରୋଚ ଜନତା ପାର୍ଟି ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ସମର୍ଥନ ଜଣାଇ ଦିଲ୍ଲୀର ଯନ୍ତରମନ୍ତର ଠାରେ ଦେଶର ବିଶିଷ୍ଟ ବୈଜ୍ଞାନିକ ସୋନମ୍ ୱଙ୍ଗଚୁକ୍ଙ୍କ ଅନଶନକୁ ଆଜି ପନ୍ଦର ଦିନ ପୁରିଛି ।

ୱଙ୍ଗଚୁକ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶଃ ଜଟିଳ ହେଉଥିବା ବେଳେ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଏହି ଘଟଣା ପ୍ରତି ଅସମ୍ବେଦନଶୀଳ ରହିବାକୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର କେନ୍ଦ୍ର କମିଟି ନାପସନ୍ଦ କରି ଶ୍ରୀ ୱଙ୍ଗଚୁକ୍ଙ୍କ ପ୍ରତି ସମର୍ଥନ ଜଣାଇବା ପରିପ୍ରେକ୍ଷୀରେ ସଂଗଠନର ଜିଲା କମିଟି ପକ୍ଷରୁ ଆଜି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତି ସମ୍ମୁଖରେ ଗଣ ସତ୍ୟାଗ୍ରହ କରାଯାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା ସହ ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ସର୍ବବ୍ୟାପୀ ବିଭ୍ରାଟ ପାଇଁ ଦାୟୀ ଅସାମ୍ବିଧାନିକ ଭାବେ ପ୍ରଣୟନ କରାଯାଇଥିବା ଜାତୀୟ ଶିକ୍ଷାନୀତି-୨୦୨୦ର ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା ।

ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳଙ୍କ ପରିଚାଳନାରେ ଆୟୋଜିତ ଏହି ସତ୍ୟାଗ୍ରହ ଆନ୍ଦୋଳନରେ ସଂଗଠନର ଉପଦେଷ୍ଟା ଡ. ବାସୁଦେବ ଦାସ, ଅଧ୍ୟାପକ ଅଜୟ ସାମଲ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଡ. ଚୈତନ୍ୟ ଚରଣ ପରିଡା, ରବୀନ୍ଦ୍ର ପ୍ରସାଦ ଜେନା, ଗାଳ୍ପିକା ଅବନ୍ତୀ ବେହେରା, ପ୍ରଫୁଲ୍ଲ ଦାସ, ଫକୀର ଚରଣ ଖଟୁଆ, ନରୋମ ପାର୍ଥସାରଥୀ, ବିକାଶ ଚନ୍ଦ୍ର ବେଉରା, ରଣଧୀର ଜେନା, ଭାଗୀରଥି ଜେନା, ମୁକ୍ତାର ଖାଁ, ଜଗଜ୍ଜୀବନ ଦାଶ, ଶୈଳବାଳା ସାମଲ, ସରୋଜକାନ୍ତ ନାୟକ, ନିରୁପମା ଦାସ, କାଶୀନାଥ ରାଉତରାୟ, ବୈଷ୍ଣବ ଚରଣ ସ୍ୱାଇଁ, ବିକ୍ରମ କେଶରୀ ସାମଲ, ଶରତ କୁମାର ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *