ଭୁବନେଶ୍ୱର,୦୧/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟତାକ୍ରମେ ଉତ୍କଳ ଦିବସ ସମାରୋହ ଭୁବନେଶ୍ୱର ୟୁନିଟ୍-୮ସ୍ଥିତ ମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନ ସଭାଗୃହରେ ସ୍ମୃତି ସମିତିର ସଭାପତି ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରୁ ପ୍ରତିଷ୍ଠାନର ପ୍ରାଙ୍ଗଣରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ଆଗନ୍ତୁକ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସଭାଗୃହରେ ଉତ୍କଳ ପ୍ରଦେଶ ଗଠନର ବିନ୍ଧାଣୀ ପ୍ରାତଃ ସ୍ମରଣୀୟ ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇ ସମବେତ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଆୟୋଜିତ ସମାରୋହର ସର୍ବ ସଫଳତା କାମନା କରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ପ୍ରେରିତ ଶୁଭେଚ୍ଛା ବାର୍ତା ପଠନ କରାଯାଇଥିଲା ।
ଏହି ଅବସରରେ ଆୟୋଜିତ ସମୃଦ୍ଧ ଓଡ଼ିଶାର ଅତୀତ, ବର୍ତମାନ ଓ ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ଗାନ୍ଧୀ ବିଚାରକ ତଥା ସ୍ତମ୍ଭକାର ପ୍ରହଲ୍ଲାଦ ସିଂହ, କାକଟପୁରର ବିଧାୟକ ତୁଷାରକାନ୍ତୀ ବେହେରା, ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ତିରୁପତି ପାଣିଗ୍ରାହୀ, ଦୈନିକ ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ଓଡ଼ିଶା ଲେଖକ ସମବାୟ ସମିତିର ପରିଚାଳକ ତଥା ପୂଜ୍ୟପୂଜା ଓଡ଼ିଶାର ସମ୍ପାଦକ ରମାକାନ୍ତ ମିଶ୍ର, ସଂସ୍କୃତିବିତ୍ ପଣ୍ଡିତ ଚନ୍ଦ୍ରମଣୀ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉତ୍କଳର ସଂସ୍କୃତି, ପରମ୍ପରା, ଐତିହ୍ୟ, ଭାଷା, ବିଶେଷ କରି ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ପ୍ରାତଃ ସ୍ମରଣୀୟ ବରପୁତ୍ରମାନଙ୍କ ଅବଦାନ ଉପରେ ଆଲୋକପାତ କରିବା ସହିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ତ୍ୟାଗ ଓ ବଳୀଦାନ ଦେଇଥିବା ସମସ୍ତ ବରପୁତ୍ରମାନଙ୍କ ନୀତି ଓ ଆଦର୍ଶରେ ଆଜିର ଯୁବପିଢ଼ି ଅନୁପ୍ରାଣିତ ହେବାକୁ ଅତିଥିମାନେ ଆଲୋକପାତ କରିଥିଲା ।
ଓଡ଼ିଆ ଜାତି କେବେ ବି ଭିରୁ ନୁହେଁ, ବିଶ୍ୱ ଦରବାରରେ ବି ଆଜି ଓଡ଼ିଶା ତାର ସ୍ୱାଭିମାନ ଓ ଇତିହାସକୁ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ କରିପାରିଛି । ଚିର ପ୍ରାଚୁର୍ଯ୍ୟଭରା ରତ୍ନଗର୍ଭା ଓଡ଼ିଶାକୁ କେବେ ଗରିବ ଗରିବ ରାଜ୍ୟ କୁହାଯାଇ ପାରିବନାହିଁ । ଏହା କେବଳ ଆମର ହୀନ ମାନସିକତା । ତେଣୁ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଜିଭଳି ଏକ ଦିନରେ ସମସ୍ତେ ସଂକଳ୍ପ ନେବା ଉଚିତ୍ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଉତ୍କଳ ଦିବସ ଉପଲକ୍ଷେ ସମିତି ପକ୍ଷରୁ ଉତ୍କଳ ଦିବସ ସମାରୋହ ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚନ, ଗାୟକ ସାରସ ସୁଦର୍ଶନ ମହାପାତ୍ରଙ୍କୁ ସମିତି ପକ୍ଷରୁ ଗାୟକ କଳା ସଂସ୍କୃତି ଗୌରବ ଉପାଧିରେ ସମ୍ବର୍ଦ୍ଧିତ, ବନ୍ଦେ ଉତ୍କଳ ଜନନୀର ପ୍ରଣେତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସୁଯୋଗ୍ୟ ନାତି ଗୋପୀକାନ୍ତ ମହାପାତ୍ରଙ୍କୁ ଉକ୍ରଳ ସଂଗ୍ରାମୀ ସ୍ମୃତି ସମିତି ସମ୍ମାନ ଓ ଅସ୍ତରଙ୍ଗ ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ ରବିନ୍ଦ୍ର କୁମାର ମହାନ୍ତିଙ୍କୁ ଲବଣ ସତ୍ୟାଗ୍ରହ କୁହୁଡ଼ି ଶୀର୍ଷକ ଏକାଙ୍କିକା ପାଇଁ ସମ୍ମାନୀତ କରାଯାଇଥିଲା ।
ବିଶିଷ୍ଟ ଯୁବ ଗାୟକ ସୁରେଶ ଚନ୍ଦ୍ର ସ୍ୱାଇଁ ଓ ତାଙ୍କ ସାଥୀମାନେ ଉତ୍କଳ ଦିବସ ସମ୍ବନ୍ଧୀୟ ଏକ ରୁଚିପୂର୍ଣ୍ଣ ପାଲା ପରିବେଷଣ କରିଥିଲେ । ସମିତିର ସାଧାରଣ ସମ୍ପାଦକ ସ୍ୱପ୍ନେଶ୍ୱର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ସଦସ୍ୟ ସଂସ୍କୃତି ଓ ପରିବେଷବିତ୍ ଅଶୋକ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶଙ୍କର ମିଶ୍ର, ଅର୍ଜୁନ ମଲ୍ଲିକ, ହେମନ୍ତ କୁମାର ମଲ୍ଲ, ହୃଶିକେଷ ରାଉତ, ବ୍ରଜବନ୍ଧୁ ସ୍ୱାଇଁ, ସମରେନ୍ଦ୍ର ଦୀକ୍ଷିତ, ଆଇନଜୀବି ଚିତରଞ୍ଜନ କର, ବସନ୍ତ କୁମାର ମହାରଣା, ଖଗେଶ୍ୱର ମହାପାତ୍ର, ବଂଶିଧର ନାୟକ, ଆଇନଜୀବି ବେଣୁଧର ନାୟକ, ବୀରକିଶୋର ବାରିକ, ବିକ୍ରମ କୁମାର ଜୟସିଂହ, ନିରଞ୍ଜନ ସ୍ୱାଇଁ ସୁରେଶ ଚନ୍ଦ୍ର ସ୍ୱାଇଁ, ପ୍ରମୁଖ ଶତାଧିକ ସଂସ୍କୃତିପ୍ରେମୀ ଓ ସମାଜସେବୀ ଉପସ୍ଥିତ ଥିଲେ । ଏହି ଆଲୋଚନାଚକ୍ରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଭାରକ୍ତ୍ନ ଉପାଧି ପ୍ରଦାନ କରିବା, ସବୁ ସରକାରୀ/ ବେସରକାରୀ ଅନୁଷ୍ଠାନରେ ଓଡ଼ିଆ ନାମ ଫଳକ ସୂଚିତ ଏବଂ ସମସ୍ତ ସରକାରୀ ନଥିପତ୍ର ଓଡ଼ିଆରେ ପ୍ରଚଳକ କରିବାକୁ ଦାବି କରାଯାଇଥିଲା ।
