ରାଉରକେଲା, ୧୩/୧୦/୨୦୨୪ (ଓଡ଼ିଶା ସମାଚାର)- ରାଉରକେଲାର ଅଗ୍ରଣୀ ଓ ପୁରାତନ ସାହିତ୍ୟ ସଂସଦ ବୈଶାଖୀ ସାହିତ୍ୟ ସଂସଦର ଶାରଦୀୟ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । ଏହି ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ପଣ୍ଡିତ ହରିହର ବେହେରା ଯୋଗଦାନ କରି ଓଡିଶାରେ ଦେବୀ ପୂଜାର ପରମ୍ପରା ଉପରେ ଏକ ସାର୍ ଗର୍ଭକ ଭାଷଣ ରଖି କହିଲେ ଅଧର୍ମ ଅସତ୍ୟ ଅନ୍ୟାୟ ଉପରେ ଧର୍ମ ସତ୍ୟ ନ୍ୟାୟର ନେତ ଉଡାଇ ଭାଇଚାରାର ବନ୍ଧନରେ ସମସ୍ତକୁ ବାନ୍ଧି ରଖିବା ଆମ ପୂଜା ପରମ୍ପରାର ପ୍ରଧାନ ଲକ୍ଷ । କେଉଁ ଅନାଦି କାଳରୁ ବିଭିନ୍ନ ବିଧି ବିଧାନ ସହ ଆମର ପୂଜା ପାର୍ବଣ ପାଳନ ହୋଇ ଆସୁଥିଲେ ହେଁ ଏଥିରୁ ଆମର ପରମ୍ପରା ଓ ସଂସ୍କ୍ରୁତି ସ୍ପଷ୍ଟ ବାରି ହୋଇପଡେ । ସମ୍ମାନିତ ବକ୍ତାଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିମ୍ବାଧର ପାଢି ସତ୍ୟଯୁଗର ଦକ୍ଷ ପ୍ରଜାପତିଙ୍କ ପୂଜାର ବିଧି ଠାରୁ ଆରମ୍ଭ କରି ଏବେ ଭାରତ ବର୍ଷରେ ବିଭିନ୍ନ ଦେବୀ ପୀଠର ସ୍ରୁଷ୍ଟି ଓ ତା’ର ପୂଜାର ପରମ୍ପରା ବିଷୟରେ ବର୍ଣ୍ଣନା କରିଥିଲେ ।
ମୁଖ୍ୟ ଅତିଥି ଭାବେ ସହରର ଜଣାଶୁଣା ସାମାଜିକ କର୍ମୀ ବିଜୟ କୁମାର ବରାଳ ବକ୍ତବ୍ୟ ରଖି କହିଲେ ଓଡିଶାର ପୂଜା ପରମ୍ପରା ପ୍ରାୟ ୩୦୦ ଖୀ.ପୂ ହୋଇଥିଲା ,ଅଷ୍ଟମ ଶତାବ୍ଦିରେ ଦେବୀ ଦୁର୍ଗା ମା ଶାରଳା ରୂପରେ ଝଙ୍କଡରେ ପୂଜା ପାଇବା ଆରମ୍ଭ କଲେ ,ଓଡିଶାରେ ଦେବୀ ପୂଜା ଦୁଇଟି ଋତୁରେ ପାଳନ ହୋଇଥାଏ ,ଶରତ ଋତୁରେ ଶାରଦୀୟ ଦୁର୍ଗା ପୂଜା ଓ ବସନ୍ତ ଋତୁରେ ବାସନ୍ତୀକ ଦୁର୍ଗା ପୂଜା ପାଳନ କରାଯାଏ । ସଂସଦର କାର୍ୟ୍ୟକାରୀ ସଭାପତି ସୁଶାନ୍ତ କୁମାର ନାୟକ ମଂଚ ପରିଚାଳନା କରିଥିଲା ବେଳେ ସାଧାରଣ ସମ୍ପାଦକ ଚନ୍ଦ୍ରଧ୍ବଜ ମାଝୀ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦ୍ବିତୀୟ ପର୍ୟ୍ୟାୟରେ ବିଜୟ କୁମାର ସାହୁଙ୍କ ସଭାପତିତ୍ବରେ ଦେବୀ ଶୀର୍ଷକରେ କବିତା ଆସର ହୋଇଥିଲା । ଏଥିରେ ସମ୍ମାନୀତ ଅତିଥି ଭାବେ ଉପେନ୍ଦ୍ର କୁମାର ବସ୍ତିଆ ଯୋଗଦାନ କରିଥିଲା ବେଳେ ସଂଯୋଜିକା ଭାବେ ସୁଚିସ୍ମିତା ପଣ୍ଡା ଓ ବାସନ୍ତି ପ୍ରୁଷେଠ୍ କବିତା ଗୁଡିକ ସଂଯୋଜନା କରିଥିଲେ । ଏଥିରେ ସର୍ବଶ୍ରୀ ପ୍ରତାପ କୁମାର ପଣ୍ଡା,ବଳରାମ ଦାଶ,ଦେବେନ୍ଦ୍ର କୁମାର ବଳ,ପ୍ରଫୁଲ୍ଲ ସାମଲ,ଆରତି ବେହେରା,ସୁଶ୍ରୀସଂଗୀତା ଦାଶ,ବସନ୍ତ ବିଶ୍ବକର୍ମା ,ପ୍ରଶାନ୍ତ ମେହେର,ନିରୁପମା ନାୟକ ବୈଜୟନ୍ତି ଦୁର୍ଗା , ସଂଜୟ ମହାପାତ୍ର ଦେବବ୍ରତ ଦାସ ,ଆଦି କୋଡିଏ ଜଣ କବି କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରଜ କିଶୋର ପାଣି,ସୂର୍ୟ୍ୟ ନାରାୟଣ ପଣ୍ଡା କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନିରୁପମା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଶାରଦୀୟ କବିତା ଆସର ଓ ଆଲୋଚନା ଚକ୍ର
