ଗରଦପୁର,୧୨/୦୭/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ପଂଚାୟତ ଅନ୍ତର୍ଗତ ପଳସୁଧା ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ଚାରିଗୋଟି ୱାର୍ଡ଼ କୁ ନେଇ ପଳସୁଧା ଗ୍ରାମ ଗଠିତ । ଏଠାରେ ବସୁଧା ଯୋଜନାରେ ପ୍ରତିଷ୍ଠା କରାଯାଇଥିବା ପାନୀୟ ଜଳ ପ୍ରକଳ୍ପର ପାଣି ଉଠା ମଟର ଟି ଏକ ସପ୍ତାହ ହେଲା ଅଚଳ ହୋଇଥିବାରୁ ସପ୍ତାହେ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି ।
ଫଳରେ ପ୍ରାୟ ଦୁଇ ହଜାର ଲୋକ ପାନୀୟ ଜଳ ଯୋଗାଣରୁ ବଂଚିତ ହୋଇଛନ୍ତି । ସେହିପରି ପଳସୁଧା (ଓରଢ଼ି) ଗ୍ରାମର ଗ୍ରାମଦେବତୀ ନିକଟରେ ଥିବା ନଳକୂପ ଟି ଆଜକୁ ଛଅମାସ ହେଲା ଅଚଳ ହୋଇ ରହିଛି । ବିଭାଗିୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଯଥା ଶୀଘ୍ର ବିଭାଗିୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ପୂର୍ବତନ ସରପଂଚ ଅନୁଜ କୁମାର ମହାନ୍ତି,ଅଜିତ ସିଂହ, ସେକ୍ ଫିରୋଜ୍ ଅଲ୍ଲୀ, ଲିଆକତ୍ ଖାଁ, ଦିଲିପ କୁମାର ସିଂହ ଙ୍କ ସମେତ ଗ୍ରାମବାସୀମାନେ ବିଭାଗିୟ ଅଧିକାରୀ ଓ କେନ୍ଦ୍ରାପଡ଼ା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
