ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର,୧୮/୧୦/୨୦୨୬(ଓଡ଼ିଶା ସମାଚାର)-ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇଥିଲେ। ଲୋକଭବନରେ ଆୟୋଜିତ ସମାରୋହରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଲୋକଭବନର ଅଭିଷେକ ହଲ୍‌ରେ ଶପଥଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା । ଶପଥ ଗ୍ରହଣ ଉତ୍ସବରେ ପ୍ରାୟ  ୬୦୦ ଅତିଥି ଯୋଗ ଦେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଝାଡ଼ଖଣ୍ଡରୁ ୩୦୦ ଅତିଥି ଆସିଛନ୍ତି । ସେମାନେ ରାଜ୍ୟ ଅତିଥି ଭବନ, ସର୍କିଟ୍‌  ହାଉସ୍‌, ଓଟିଡିସି ପାନ୍ଥନିବାସ ଓ କିଛି ଘରୋଇ ହୋଟେଲରେ ରହିଥିଲେ ।ଶ୍ରୀ ରାମ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ବପାଟିଙ୍କ ସ୍ଥାନ ନେବେ। ଗତ ସୋମବାର ରାଷ୍ଟ୍ରପତି ଭବନରୁ ବାହାରିଥିବା ବିଜ୍ଞପ୍ତି ଅନୁଯାୟୀ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟର ରାଜ୍ୟପାଳଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । କେରଳମ୍‌ର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡ଼ୁର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସିକିମ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳମ୍‌ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଧଲ ସିଂହ ବିଶେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଶ୍ୟନ ଗୌତମଙ୍କୁ ସିକିମ୍‌ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଝାଡ଼ଖଣ୍ଡର ପଲାମୁ ଜିଲାର ବାସିନ୍ଦା ବ୍ରଜମୋହନ ରାମ ପୂର୍ବରୁ ତିନିଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ରାଜ୍ୟପାଳ ଭାବେ ତାଙ୍କ ଦାୟିତ୍ୱ ଗ୍ରହଣ ସହ ଓଡ଼ିଶାରେ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *