କଲ୍ୟାଣପୁର ଉତ୍ସବମୁଖର, ବିରୂପାରେ ବିସର୍ଜିତ ହେଲେ ପ୍ରଭୁ ଗଜାନନ

ମାହାଙ୍ଗା,୨୨/୦୯/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଯୁଗଜ୍ୟୋତି ସାଂସ୍କୃତିକ ପରିଷଦ କଲ୍ୟାଣପୁର ଆନୁକୂଲ୍ୟରେ ୫୧ ତମ ଗଣେଶ ମହୋତ୍ସବ ଉଦଯାପିତ ହୋଇଯାଇଛି ।

ପୂଜା ମଣ୍ଡପରେ ୯ ଦିନ ବ୍ୟାପୀ ଆୟୋଜିତ ସାର୍ବଜନୀନ ଗଣେଶ ମହୋତ୍ସବର ବିଭିନ୍ନ ସଂଧ୍ୟାରେ ଭଜନ ପରିବେଷଣ , ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ,ପ୍ରଭୁଙ୍କ ନାମ ସଂକୀର୍ତ୍ତନ, ବିଭିନ୍ନ ନୃତ୍ୟ ସଂଗୀତ ପ୍ରତିଯୋଗିତା ଏବଂ କୃତୀ କଳାକାର ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପଞ୍ଚାୟତର ବହୁ ପ୍ରତିଭାଧାରୀ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା  । ମଙ୍ଗଳବାର ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ୭ ଘଣ୍ଟା ବ୍ୟାପୀ ପ୍ରଭୁ ଗଣପତି ଗଣନାଥ ଥାନାପତି ବଡ଼ ଗଣେଶଙ୍କ ବିସର୍ଜନ ଶୋଭାଯାତ୍ରାରେ ଶହଶହ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ।

ବାଜା ବାଣ ରୋଷଣୀରେ ଉଛୁଳି ଉଠୁଥିଲା ସାରା ଗାଁ’।,ନୃତ୍ୟ ଗୀତର ତାଳେ ତାଳେ ପ୍ରଭୁଙ୍କ ସୁଉଚ୍ଚ ବିଗ୍ରହକୁ କୁହୁଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରାଇବା ପରେ ଶେଷରେ କଲ୍ୟାଣପୁର ଗାନ୍ଧୀଛକ ବଜାର ଅତିକ୍ରମ କରି ନିକଟସ୍ଥ ବିରୂପା ନଦୀର କୁମୁଡା ଘାଟରେ ବିସର୍ଜ୍ଜନ କରାଯାଇଥିଲା ।

ଯୁଗଜ୍ୟୋତି ସାଂସ୍କୃତିକ ପରିଷଦର ସମସ୍ତ କର୍ମକର୍ତ୍ତା, ଗ୍ରାମର ମୁରବୀ, ଯୁବକ ଏବଂ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଏହି ବିସର୍ଜ୍ଜନ ଉତ୍ସବରେ ସାମିଲ ହୋଇଥିଲେ । କୁମୁଡା ଜଇପୁର ଫାଣ୍ଡି ଏବଂ ମାହାଙ୍ଗା ଥାନା ପୋଲିସ ଶାନ୍ତି ଶୃଙ୍ଖଳା ପାଇଁ ଉପସ୍ଥିତ ଥିଲେ ।

ଉତ୍ସବର ସଫଳତା ପାଇଁ କଲ୍ୟାଣପୁର ଗଣେଶ ମହୋତ୍ସବ କମିଟି ପକ୍ଷରୁ କୋଠପଦା ବିଦ୍ୟୁତ ବିଭାଗ ,କୁହୁଣ୍ଡା ପାନୀୟ ଜଳଯୋଗଣା ବିଭାଗ ,ଥାନା ଓ ଫାଣ୍ଡିର ପୋଲିସ ଅଧିକାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *