ଘଟଗାଁ, ୧୦/୦୭/୨୦୨୬ (ଓଡ଼ିଶା ସମାଚାର)-ଘଟଗାଁ ମା’ତାରିଣୀ ଠାକୁରାଣୀଙ୍କ ମନ୍ଦିର ଆଷାଢ ମାସ ଶେଷ ଗୁରୁବାର ଦିନ ବନ୍ଦ ରହିବ । ଆଷାଢ ମାସ ଶେଷ ଗୁରୁବାର ମା’ତାରିଣୀ ଠାକୁରାଣୀଙ୍କ ଚିରାଚରିତ ପ୍ରଥା ଅନୁଯାୟୀ ଆଷାଢୀ ପର୍ବ ପାଳନ କରାଯାଏ ।
ଦିନ ବେଳା ଠାକୁରାଣୀଙ୍କ କୌଣସି ନୀତି ପାଳନ କରାଯାଏ ନାହିଁ । କିନ୍ତୁ ସଂନ୍ଧ୍ୟା ୭ ଘଟିକା ଠାରୁ ମନ୍ଦିର ଖୋଲାଯାଇ ମହାସ୍ନାନ,ମାଜଣା,ମଙ୍ଗଳ ଆଳତୀ,ସୁନାବେଶ,ଚଣ୍ଡିପାଠ ଓ ହୋମଯଜ୍ଞ କରାଯାଇ ପୂଜାର୍ଚ୍ଚନା କରା ଯାଇଥାଏ ।
ମା’ଙ୍କର ଏହି ପର୍ବ ଜୁଲାଇ ୧୬ତାରିଖ ଗୁରୁବାର ପଡୁଥିବାରୁ ଠାକୁରାଣୀଙ୍କର ଦିନ ବେଳା ସମସ୍ତ କାର୍ଯ୍ୟକ୍ରମ ବନ୍ଦ୍ ରହି ସଂନ୍ଧ୍ୟା ୭ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ରହି ଆସିଥିବା ପରମ୍ପରା ଅନୁସାରେ ଆଖପାଖ ଅଂଚଳର ବିଭିନ୍ନ ଗ୍ରାମରୁ ଆସୁଥିବା ବୋଦା, କୁକୁଡା ଠାକୁରାଣୀଙ୍କୁ ସମର୍ପଣ କରାଯାଇ ଫେରସ୍ତ କରାଯାଏ । ଆଷାଢୀ ପର୍ବରେ ମା’ଙ୍କର ସୁନାବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ ।
