ଭୁବନେଶ୍ୱର,୧୨/୦୩/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟାଟା ପାୱାର ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପକ୍ଷରୁ ବିଦ୍ୟୁତର ଅନଧିକୃତ ବ୍ୟବହାର ଏବଂ ବିଦ୍ୟୁତ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଆସନ୍ତା ୧୪ ମାର୍ଚ୍ଚ ୨୦୨୬ରେ ଏହାର ସମସ୍ତ ସେବା ଯୋଗାଣ ଅଂଚଳରେ ୨୦୨୬ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ ଏବଂ ସମାଧାନ ଶିବିର ଅନୁଷ୍ଠିତ ହେବ । ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ର ରୂପରେଖ ଅଧୀନରେ ବିବାଦର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହି ଲୋକ ଅଦାଲତ ସକାଳ ୯:୦୦ ରୁ ଅପରାହ୍ନ ୫:୦୦ ପର୍ଯ୍ୟନ୍ତ ଚାଲିବ, ଯେଉଁଠାରେ ଉପଭୋକ୍ତାମାନଙ୍କୁ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ ପାଇଁ ପୁରା ଦିନ ତତ୍କାଳ ସହାୟତା ପ୍ରଦାନ କରାଯିବ । ୨୦୨୬ ର ଏହା ପ୍ରଥମ ଲୋକ ଅଦାଲତ ହୋଇଥିବାରୁ, ଭବିଷ୍ୟତର ଆଇନଗତ କିମ୍ବା ଆର୍ଥିକ ଜଟିଳତାରୁ ବଂଚିବା ଏବଂ ଏକ ସ୍ୱଚ୍ଛ ତଥା ସମୟବଦ୍ଧ ପ୍ରକ୍ରିୟା ମାଧ୍ୟମରେ ସେମାନଙ୍କର ବିଦ୍ୟୁତ ବ୍ୟବହାରକୁ ନିୟମିତ କରିବା ପାଇଁ ଏହି ପ୍ଲାଟଫର୍ମର ଉପଯୋଗ କରିବାକୁ ଟିପିସିଓଡିଏଲ୍ ଉପଭୋକ୍ତାମାନଙ୍କୁ ଅନୁରୋଧ କରିଛି । ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ ପାଇଁ ପ୍ରତ୍ୟେକ ଡିଭିଜନ, ସବ୍-ଡିଭିଜନ ଏବଂ ସେକସନ୍ କାର୍ଯ୍ୟାଳୟରେ ଏନଫୋର୍ସମେଂଟ ଅଧିକାରୀ, ଆଇନଜୀବୀ ଏବଂ ପ୍ରଶିକ୍ଷିତ ସହାୟକ କର୍ମଚାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯିବ ।
ଏହି ଟିମ୍ ଉପଭୋକ୍ତାମାନଙ୍କୁ ଯୋଗ୍ୟ ମାମଲା ଶ୍ରେଣୀ, ଆବଶ୍ୟକୀୟ ଦଲିଲ ଏବଂ ସମାଧାନ ପ୍ରକ୍ରିୟା ସମ୍ପର୍କରେ ମାର୍ଗଦର୍ଶନ କରିବେ । ଟିପିସିଓଡିଏଲ୍ ପକ୍ଷରୁ ଜିଲାସ୍ତରୀୟ ବ୍ୟବସ୍ଥା, ଯୋଗ୍ୟତା ବିବରଣୀ ଏବଂ ପର୍ଯ୍ୟାୟକ୍ରମେ ସମାଧାନ ପାଇଁ ମାର୍ଗଦର୍ଶିକା ସମସ୍ତ ଡିଭିଜନ, ସବ୍-ଡିଭିଜନ ଏବଂ ସେକସନ୍ କାର୍ଯ୍ୟାଳୟରେ ଉପଲବ୍ଧ କରାଯାଇଛି । ଉପଭୋକ୍ତାମାନେ କାର୍ଯ୍ୟକ୍ରମ ପୂର୍ବରୁ କୌଣସି ସ୍ପଷ୍ଟୀକରଣ ପାଇଁ ସେମାନଙ୍କର ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ର ଏବଂ ଫ୍ୟୁଜ୍ କଲ୍ ସେଂଟର (ଏଫସିସି) ସହିତ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି ।
