ନବରଙ୍ଗପୁର,୧୦/୦୭/୨୦୨୬ (ଓଡ଼ିଶା ସମାଚାର)- ଆଗ କାଳରେ ବର୍ଷା ଆରମ୍ଭ ବା ଆଷାଢ ମାସର ପ୍ରଥମ ବର୍ଷାରେ ବେସ୍ ଶୋଭା ପାଉଥିଲା ଲାଲ ରଙ୍ଗର ଟୁକ ଟୁକୁ ସାଧବ ବୋହୁ । ବର୍ଷାର ଆଗମନରେ ଧରାପୃଷ୍ଠକୁ ଆଗମନ ହେଉଛି ଲାଲ୍ ଟୁକୁ ଟୁକୁ ସାଧବ ବୋହୂ । ଭେଲଭେଟ୍ ନାଲି ପାଟ ପିନ୍ଧି ମନ ମୋହୁଥିଲା ଏହି ସାଧବ ବୋହୂ । ଏହି ସାଧବ ବୋହୁ କୁ ଦେଖ୍ ଚାଷୀ ଭାଇ ମନ ଭାରି ଖୁସି ହେଉଥିଲେ । କାରଣ ସାଧବ ବୋହୁ ଦେଖା ଦେଲେ ଭଲ ଫସଲ ହେବ ବୋଲି ଚାଷୀମାନେ ଅନୁମାନ କରିନେଉଥିଲେ ।
ଏହି କୀଟ ସାଧାରଣତଃ ବାଡି, ବଗିଚା, ବିଲହିଡ, ଘାସପଡିଆ ଓ ଘାସ ହୋଇଥିବା ସ୍ଥାନ ମାନଙ୍କରେ ଦେଖା ଯାଇଥାନ୍ତି । ଏହି ସାଧବ ବୋହୁ ନାଲି ରଙ୍ଗର ହୋଇଥାଏ । ଏହି ଜୀବଟି ଘାସ ଓ ମାଟି ଉପରେ ଧିର ଗତିରେ ଚାଲି ଥାଏ । ଦେଖୁବାକୁ ଭାରି ସୁନ୍ଦର ଓ ମନୋରମ ଲାଗିଥାଏ । ଏହି ସାଧବ ବୋହୁ ପ୍ରାୟତଃ ସମସ୍ତ ଅଂଚଳରେ ଦେଖାଯାଇଥାନ୍ତି । ଏହି ସାଧବ ବୋହୁକୁ ଦେଖ୍ ଅଧିକ ଖୁସି ଅନୁଭବ କରିଥାନ୍ତି କୁନିକୁନି ପିଲାମାନେ । ହେଲେ ଦୁର୍ଭାଗ୍ୟ ବଶତଃ ବର୍ତମାନ ପ୍ରଦୂଷିତ ପରିବେଶରେ ଏମାନଙ୍କ ବଂଶ ଲୋପ ପାଇବାକୁ ବସିଲାଣି । ଆଧୁନିକତାର ଚାଦର ତଳେ ଚାପି ହୋଇ ଗଲାଣି ଏହି ସୁନ୍ଦର ଜୀବ ।
ସାଧବ ବୋହୁକୁ ନେଇ କେତେ କାବ୍ୟ କବିତାର ସମ୍ଭାର ଦେଖୁବାକୁ ମିଳିଥାଏ । ପ୍ରକୃତିର ଏହି ଉପହାରକୁ ନେଇ କବି ଓ ପ୍ରକୃତି ପ୍ରେମୀ ଭାବୁକ ହୋଇ ଯାଇଥାନ୍ତି । ବର୍ତମାନ ସମୟରେ ଏହି ସାଧବ ବୋହୁ ପ୍ରାୟତଃ ଦେଖାଯାଉ ନାହାନ୍ତି । ଯାହା କମ୍ ପରିମାଣରେ କେଉଁଠି କେମିତି ଦେଖିବାକୁ ମିଳୁଛି । ରାସାୟନିକ ସାର, କୀଟନାଶକ, ବିଭିନ୍ନ ସ୍ଥାନରେ କଂକ୍ରିଟ, ଜଙ୍ଗଲ କାଟି ନଷ୍ଟ କରିବା ଓ ଅସ୍ୱାଭାବିକ ପରିବେଶ ପ୍ରଦୂଷଣ ଯୋଗୁଁ ଏମାନଙ୍କର ବଂଶ ଲୋପ ପାଇବାକୁ ଯାଉଛି । ଦୁର୍ଭାଗ୍ୟର ବିଷୟ ସାଧବ ବୋହୂ ପୋକ ଆଗାମୀ ପିଢିଙ୍କ ପାଇଁ ବୋଧ ହୁଏ ଇତିହାସ ପାଲଟି ଯିବ । ଏଭଳି ଅନେକ କୀଟପତଙ୍ଗ ଆଉ ଏବେ ବର୍ଷା ଦିନରେ ଦେଖୁବାକୁ ମଧ୍ୟ ସପନ ହୋଇ ଗଲେଣି । ଏହା ପ୍ରକୃତିର ବିଡମ୍ବନା ନା ମଣିଷର ଦୁର୍ଭାଗ୍ୟ ଆହତ ଆଗାମୀ ଦିନରେ ଜଣା ପଡିବ ।
