କେନ୍ଦ୍ରାପଡ଼ା, ୦୭/୦୭/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ଶାଖା କେନାଲରେ ପଡି କେନ୍ଦ୍ରାପଡ଼ା ଜନସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ନିରଞ୍ଜନ ବେହେରା(୪୪)ଙ୍କ ମୃତୁ୍ୟ ହୋଇଯାଇଛି । ତାଙ୍କ ଘର କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ସାହସପୁର ଗ୍ରାମରେ ବୋଲି ଜଣାପଡିଛି । ସୋମବାର ରାତିରେ ସେ ବାଇକରେ ଘରକୁ ଫେରୁଥିବା ବେଳେ କଜଳା ଶାଖା କେନାଲ ମଧ୍ୟକୁ ବାଇକ ସହ ପଡି ଯାଇଥିଲେ ।
ବାଇକ ତଳେ ସେ ଚାପି ହୋଇ ଯାଇଥିଲେ । ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକେ ତାଙ୍କୁ ଦେଖି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଡାକ୍ତରଖାନାରେ ପହଂଚି ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।
