ଶ୍ରମିକଙ୍କ ଡାହଣ ଗୋଡରେ ବାଜିଛି ଗୁଳି, କଟକ ସ୍ଥାନାନ୍ତର
କେନ୍ଦ୍ରାପଡ଼ା,୧୯/୦୮/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ଡେରାବିଶ ବ୍ଲକର ନରସିଂହପୁର ଗ୍ରାମ ଉନ୍ନୟନ ରାସ୍ତା ନିକଟସ୍ଥ ଇଟା ଭାଟିରେ କାମ କରୁଥିବା ଜଣେ ଶ୍ରମିକଙ୍କୁ ବୁଧବାର ଗୁଳିମାଡ କରାଯାଇଛି । ଗୁଳିଟି ଶ୍ରମିକଙ୍କ ଡାହଣ ଗୋଡରେ ବାଜିଛି । ଗୁଳିମାଡର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି କେଦାର ରାଉତ । କେଦାରଙ୍କ ଘର କଟକ ଜିଲାର ସାଲେପୁର ନିକଟ ରାମକୃଷ୍ଣପୁର ଗ୍ରାମରେ ହୋଇଥିବା ବେଳେ ସେ ପରିବାର ସହ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଅନୁଆପଡ଼ା ନିକଟ ନରସିଂହପୁର ରାସ୍ତା କଡରେ ଥିବା ଇଟାଭାଟିରେ ରହୁଥିଲେ । ସେଠାରେ ରହି କାମ ଦାମ କରି ପରିବାର ପ୍ରତିପୋଷଣ କରୁଥିଲେ । ବୁଧବାର ସେ ବଜାରକୁ ସଉଦା ପାଇଁ ଆସିଥିଲେ । ସଉଦାପତ୍ର ନେଇ ଘରକୁ ଫେରୁଥିବା ବେଳେ ଦୁଇଟି ବାଇକରେ ୬ ଜଣ ଯୁବକ ତାଙ୍କ ନିକଟକୁ ଆସି ତାଙ୍କ ଗୋଡ଼କୁ ଲକ୍ଷ କରି ଗୁଳିମାଡ କରିଥିଲେ । ଏହାପରେ ଅପରାଧୀମାନେ ଫେରାର ହୋଇଯାଇଥିଲେ ।
ତେବେ କେଉଁ କାରଣରୁ ଅପରାଧୀମାନେ ତାଙ୍କୁ ଗୁଳି କଲେ ତାହା ଜଣାପଡିନାହିଁ । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ଏହାପରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କାରାଯାଇଥିଲା । ହେଲେ ଏଠାରେ ଡାକ୍ତରମାନେ ଗୋଡ଼ରୁ ଗୁଳି ବାହାର କରିବାରେ ଅସମର୍ଥ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।
ଖବର ପାଇ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟ୍ଟାରିଆ, ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ, ଚାନ୍ଦୋଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ନନ୍ଦ, ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କେଉଁ କାରଣରୁ ତାଙ୍କୁ ଗୁଳିମାଡ କରାଯାଇଛି ତାହାର ତଦନ୍ତ କରାଯାଉଛି ବୋଲି ଏସପି ଶ୍ରୀ କଟାରିଆ ସୂଚନା ଦେଇଛନ୍ତି ।
