କେନ୍ଦ୍ରାପଡ଼ା, ୦୭/୦୭/୨୦୨୬ (ଓଡ଼ିଶା ସମାଚାର)-ନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଜ୍ଞାନପୀଠ ନିକଟ କଜଳା ନାଳ କୂଳରୁ ବୋତଲ ଗୋଟାଉଥିବା ବେଳେ ଜଣେ ନାବାଳକ ନଦୀରେ ଭାସି ଯାଇଛନ୍ତି । ସ୍ଥାନୀୟ ଅର୍ବାନ ବ୍ୟାଙ୍କ କର୍ମଚାରୀ କିରଣ ବଳ ପ୍ରଥମେ ଏହା ଦେଖି ଏହି ବାଟରେ ଯାଉଥିବା ଲୋକଙ୍କୁ ନାବାଳକଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ହେଲେ କୌଣସି ବ୍ୟକ୍ତି ଅଟକି ନ ଥିଲେ ।
ଶେଷରେ ସେ ଅର୍ବାନ ବ୍ୟାଙ୍କର ଡ୍ରାଇଭର ତ୍ରିଲୋଚନ ମଲ୍ଲିକଙ୍କୁ ଡାକିଥିଲେ । ତ୍ରିଲୋଚନ ଏକ ବାଉଁଶ ସାହାଯ୍ୟରେ ଦଳ ସଫା କରି ନଦୀରେ ପଶିଥିଲେ । ଏହାପରେ ଅନ୍ୟ କେତେକ ଯୁବକ ସେଠାରେ ପହଂଚି ନାବାଳକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନାବାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନାବାଳକ ଜଣକ କଜଳା ଅଂଚଳର ବୋଲି ଜଣାପଡିଛି । ମୃତ ନାବାଳକଙ୍କ ପରିବାରକୁ ତୁରନ୍ତ କ୍ଷତି ପୂରଣ ଯୋଗାଇ ଦେବା ପାଇଁ ସମାଜସେବୀ ଶରତ କୁମାର ବେହୁରା ପ୍ରଶାସନ ନିକଟରେ ଦାବି କରିଛନ୍ତି ।
