ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ଜାଲ୍ ଚିଠି ପ୍ରଚାର ସମ୍ପର୍କରେ ସ୍ପଷ୍ଟୀକରଣ

ଭୁବନେଶ୍ୱର,୦୭/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସମ୍ପ୍ରତି ଅର୍ଥ ବିଭାଗର ପତ୍ର ସଂଖ୍ୟା ୧୦୯୧୧/ୠ, ତାରିଖ ୨୪.୦୪.୨୦୨୬ ନାମରେ ଏକ ଜାଲ୍ ଓ ସମ୍ପୂର୍ଣ୍ଣ ମନଗଢ଼ା ପତ୍ର ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି । ଏହି ଜାଲ୍ ପତ୍ରକୁ ଆଧାର କରି କେତେକ ଗଣମାଧ୍ୟମରେ ମଧ୍ୟ ସମ୍ବାଦ ପ୍ରକାଶ ପାଇଥିବା ଦେଖାଯାଇଛି, ଯାହା ସାଧାରଣ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିଛି।

ଉକ୍ତ ଜାଲ୍ ପତ୍ରରେ ଓସେପା ଅଧୀନରେ ୭୨୩୪ ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି ଓ ନିଯୁକ୍ତି ସହ ପ୍ରତି ଶିକ୍ଷକଙ୍କୁ ମାସିକ ୨୬୦୦୦ ପ୍ରଦାନ ପାଇଁ ଅର୍ଥ ବିଭାଗ ଅନୁମୋଦନ କରିଥିବା ବୋଲି ମିଥ୍ୟା ଦାବି କରାଯାଇଛି ।

ଏହି ପ୍ରସଙ୍ଗରେ ସ୍ପଷ୍ଟ କରାଯାଉଛି ଯେ, ଉକ୍ତ ପତ୍ରଟି ସମ୍ପୂର୍ଣ୍ଣ ଜାଲ୍, ମନଗଢ଼ା ଏବଂ ଅନଧିକୃତ । ଅର୍ଥ ବିଭାଗ ଦ୍ୱାରା ଏପରି କୌଣସି ପ୍ରସ୍ତାବ ଅନୁମୋଦନ କରାଯାଇନାହିଁ । ୭୨୩୪ ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି କିମ୍ବା ନିଯୁକ୍ତି ସମ୍ପର୍କରେ ଉକ୍ତ ପତ୍ର ମାଧ୍ୟମରେ କୌଣସି ସରକାରୀ ଅନୁମୋଦନ ପ୍ରଦାନ କରାଯାଇନାହିଁ ।
ପତ୍ରରେ ଥିବା ଦସ୍ତଖତ, ପତ୍ର ସଂଖ୍ୟା, ବିଷୟବସ୍ତୁ ଓ ଅନୁମୋଦନ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ସରକାରୀ ଅଭିଲେଖରେ ଏହାର କୌଣସି ଆଧାର ନାହିଁ ।
ଜାଲ୍ ସରକାରୀ ପତ୍ର ପ୍ରସ୍ତୁତ କରି ପ୍ରଚାର କରିବା ଏକ ଗୁରୁତର ଅପରାଧ। ଏହି ଘଟଣା ସମ୍ପର୍କରେ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅବଗତ କରାଯାଇଛି।

ରାଜ୍ୟ ସରକାର ସାଧାରଣ ଜନତା ଓ ଗଣମାଧ୍ୟମକୁ ଅନୁରୋଧ କରୁଛନ୍ତି ଯେ, ସୋସିଆଲ ମିଡିଆରେ ପ୍ରଚାରିତ କୌଣସି ସରକାରୀ ପତ୍ରକୁ ଯାଞ୍ଚ ବିନା ବିଶ୍ୱାସ କିମ୍ବା ପ୍ରଚାର କରନ୍ତୁ ନାହିଁ । ସରକାରୀ ସୂଚନା କେବଳ ସରକାରୀ ବିଜ୍ଞପ୍ତି, ୱେବସାଇଟ୍ କିମ୍ବା ସମ୍ପୃକ୍ତ ବିଭାଗରୁ ହିଁ ନିଶ୍ଚିତ କରନ୍ତୁ।

ସରକାର ସର୍ବଦା ସଠିକ୍ ଓ ପ୍ରାମାଣିକ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତିବଦ୍ଧ।
-୦-

ରୋଜାଲିନ୍ ସାହୁ ଲୋକସମ୍ପର୍କ ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *