Breaking News : ମହାନଦୀରେ ଗାଧୋଉଥିବା ବେଳେ ୩ଜଣ ଛାତ୍ର ନିଖୋଜ

କଟକ / ଜଗତପୁର, ୨୮/୦୬/୨୦୨୬ (ଓଡ଼ିଶା ସମାଚାର)- ରବିବାର ସନ୍ଧ୍ୟାରେ ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀରେ ଗାଧୋଉଥିବା ବେଳେ ୩ଜଣ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ରମାନେ ହେଉଛନ୍ତି ପ୍ରତ୍ୟୁଷ ସ୍ବାଇଁ (୨୦), ଅଜିତ ସାହୁ (୨୧) ଏବଂ ମୁକ୍ତି ପ୍ରସାଦ ଦାସ (୨୦)। ସୂଚନା ଅନୁସାରେ ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ଆଶ୍ବସ୍ତି ପାଇବା ଆଶାରେ ଆଜି ସନ୍ଧ୍ୟାରେ ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀକୁ କଟକର ଚାଉଳିଆଗଂଜ ଥାନା ଅଧୀନ ନୟାବଜାର ନିକଟ ମହିମା ନଗରରେ ରହୁଥିବା ଜଗତସିଂହପୁର ଜିଲ୍ଲା କୃଷ୍ଣାନନ୍ଦପୁର ଥାନା ଅଧୀନ ଲଙ୍କାପଡ଼ା ବାସିନ୍ଦା ପ୍ରଦୀପ୍ତ ସ୍ବାଇଁଙ୍କ ପୁଅ ପ୍ରତ୍ୟୁଷ, କଟକ ସିଆରଆରଇ ଥାନା ଅଧୀନ ନୟାବଜାର ପୋଟାପଖରୀ ବାସିନ୍ଦା ନରୋତ୍ତମ ସାହୁଙ୍କ ପୁଅ ଅଜିତ ସାହୁ, ମଧୁପାଟଣା ଥାନା ଅଧୀନ ବେଲେଶ୍ବର ବାସନ୍ଦା ମୁକ୍ତି ପ୍ରସାଦ ଦାସ ଏବଂ କଲ୍ୟାଣୀ ନଗରର ଅମ୍ଲାନ ପ୍ରସାଦ ନାୟକ ଗାଧୋଇବା ପାଇଁ ଯାଇଥିଲେ।

ସେଠାରେ ସେମାନେ ଗାଧୋଉଥିବା ବେଳେ ଅମ୍ଲାନ ଜଳର ଗଭୀରତା ଜାଣିନପାରି ନିୟନ୍ତ୍ରଣ ହରାଇଥିଲେ। ତେଣୁ ଅମ୍ଲାନଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ତିନି ଜଣ ସାଙ୍ଗ ଉଦ୍ୟମ କରିଥିଲେ। ଅମ୍ଲାନ କିନ୍ତୁ କୌଣସି ପ୍ରକାରରେ ସୁରକ୍ଷିତ ଭାବେ ସ୍ଥଳଭାଗକୁ ଫେରି ଆସିଥିଲେ। ହେଲେ ପ୍ରତ୍ୟୁଷ, ଅଜିତ ଏବଂ ମୁକ୍ତି ପ୍ରସାଦ ପାଣିରେ ଭାସି ଯାଇଥିଲେ। ତିନି ଜଣ ସାଙ୍ଗ ହଠାତ ନିଖୋଜ ହୋଇଯିବା ନେଇ ଅନ୍ୟମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଜଗତପୁର ଅଗ୍ନିଶମ ବାହିନୀ ପହଞ୍ଚିଛି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ସମୟ ଖୋଜାଖୋଜି ପରେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି। ହେଲେ ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ୟ୍ୟ ହୋଇ ପାରିନାହିଁ । ଆସନ୍ତା କାଲି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *