ଦିନ ଦ୍ବିପହର ରେ ଯୁବକକୁ ଗୁଳି କରି ହତ୍ୟା, ଜଣେ ଗିରଫ ପିସ୍ତଲ ଜବତ

                                                                           ଆତଙ୍କିତ ଅବସ୍ଥାରେ ହିନ୍ଦୋଳ ଜନସାଧାରଣ
ହିନ୍ଦୋଳ,୨୨/୭/୨୦୨୪ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଗୋରୁ ମାଫିଆ ମାନେ ଗତ ୧୮ତାରିଖରେ ଦଶ ରାଉଣ୍ଡରୁ ଅଧିକ ଗୁଳି ଚାଳଣା କରି ଆତଙ୍କ ରଚାଇଥିବା ଭଳି ଆତଙ୍କ ଲୋକଙ୍କ ମନରୁ ଲିଭି ନଥିବାବେଳେ ଆଜି ଦିନଦ୍ବିପହରରେ ପୁଣି ଆତତାୟୀଙ୍କ ପିସ୍ତଲରୁ ଫୁଟିଛି ଗୁଳି, ଝରିପଡିଛି ଗୋଟିଏ ନିରୀହ ଜୀବନ । ଖବରରୁ ପ୍ରକାଶ ହିନ୍ଦୋଳ ଥାନା ମହାଲୁଣ୍ଡା ପଂଚାୟତର ତୀର୍ଥ ସାହୁଙ୍କ ପୁଅ ସୁବାସ ସାହୁ(ବୁଲୁ)୨୬ ବର୍ଷ ,ସେ କାର୍ୟ୍ୟ କରୁଥିବା ରାଶୋଳ ସ୍ଥିତ ୱାଟର ସେଡ଼ କାର୍ୟ୍ୟାଳୟକୁ ଅଫିସ କାର୍ୟ୍ୟରେ ବାଇକରେ ଯାଉଥିବା ସମୟରେ ଅପରାହ୍ନ ୪ଟା ବେଳେ ନୂଆବଗ ପଂଚାୟତ ଶନିମନ୍ଦିର ନିକଟରେ ଦୁଇଜଣ ପିସ୍ତଲଧାରୀ ଆତତାୟୀ ହଠାତ ସୁବାସ ସାହୁ ଙ୍କ ଉପରକୁ ପିସ୍ତଲରୁ ଗୁଳି ଚଳାଇବାରୁ ଗୁଳି ତାଙ୍କ ଡାହାଣପାଖ ଛାତିରେ ବାଜିଥିଲା ଓ ଘଟଣା ସ୍ଥଳରେ ସୁବାସ ଟଳି ପଡ଼ିଥିଲେ । ଗୁଳିମାଡ଼ କରି ଆତତାୟୀ ଦୁଇଜଣ ନିକଟସ୍ଥ ଜଙ୍ଗଲକୁ ପଳାୟନ କରିଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲକୁ ଘେରିଯାଇଥିଲେ ଏବଂ ଖବରପାଇ ତୁରନ୍ତ ହିନ୍ଦୋଳ ଓ ରସୋଳ ପୋଲିସ ପହଂଚି ଶବକୁ ଜବତକରି ବ୍ୟବଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନା ପଠାଇଦେବା ସହ ଜଣେ ଆତତାୟୀକୁ ପିସ୍ତଲ ସହ ଧରିଛନ୍ତି ଏବଂ ଅନ୍ୟ ଜଣକୁ ଧରିବାପାଇଁ ଉଦ୍ୟମ ଚଳାଇଛନ୍ତି । ଗିରଫ ବ୍ୟକ୍ତି ଙ୍କ ନାମ ରିଙ୍କୁ ଖାଁ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ପୂର୍ବ ଶତ୍ରୁତା ଓ ରାଜନୈତିକ ଶତ୍ରୁତା ଓ ଠିକା କାମକୁ କେନ୍ଦ୍ର କରି ସୁବାସଙ୍କୁ ଟାର୍ଗେଟ କରାଯାଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି ଏବଂ ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଓ ହତ୍ୟାକାଣ୍ଡର କାରଣ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି । ହିନ୍ଦୋଳ ଅଂଚଳରେ ବାରମ୍ବାର ଗୁଳି ଫୁଟିବା ସହ ମୃତାହତ ଘଟଣା ହିନ୍ଦୋଳରେ ଆତଙ୍କ ଖେଳାଇଦେଇଥିବା ବେଳେ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତୁରନ୍ତ ଆତତାୟୀ ଓ ମାଫିଆ ମାନଙ୍କୁ ଧରି ଜବତ କରିବାକୁ ହିନ୍ଦୋଳ ଜନସାଧାରଣ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *