ରାୟଗଡ଼ା,୨୭/୦୫/୨୦୨୫ (ଓଡ଼ିଶା ସମାଚାର)- ହାଡ଼କୋର୍ ମାଓବାଦୀ ନେତା ବିଜୟା ପୁନେମ ଓରଫ ଅଜୟ ମାଓବାଦୀ ସଂଗଠନର ହାତ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମଙ୍ଗଳବାର ପୋଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି । ଅଜୟ ବାସଧାରା-ଘୁମସୁର-ନାଗାବଳୀ ଡିଭିଜନର ଜଣେ ହାଡ଼କୋର୍ ମାଓବାଦୀ ଥିଲେ ବୋଲି ମଙ୍ଗଳବାର ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍ପି ସ୍ବାଥି ଏସ୍.କୁମାର ସୂଚନା ଦେଇଛନ୍ତି ।
ଅଜୟଙ୍କ ଘର ଛତିଶଗଡ଼ ରାଜ୍ୟର ବିଜାପୁର ଜିଲା ଅର୍ନ୍ତଗତ ହୁସୁର ଥାନାର ବାଟିଗୁ ଗ୍ରାମରେ । ଅଜୟଙ୍କ ଠାରୁ ପୋଲିସ ଏକ ୯ଏମ୍ଏମ୍ ପିସ୍ତଲ,
୮ ରାଉଣ୍ଡ ଗୁଳି ଏବଂ ଗୋଟିଏ ୱାକିଟାକି ଜବତ କରିଛି । ଅଜୟଙ୍କ ନାଁରେ ୭ଟି ମାମଲା ରୁଜୁ ହୋଇଛି । ସିପିଆଇ(ମାଓବାଦୀ) ସଂଗଠନର ଭୁଲ ଚିନ୍ତାଧାରା, ମୁଖିଆଙ୍କ ଦୁର୍ବ୍ୟବହାର, ଅଞ୍ଚଳରେ ଫୋର୍ସ ଦ୍ୱାରା ବାରମ୍ବାର କୋମ୍ବିଂ ଆଦି କାରଣ ରୁ ଅଜୟ ମାଓବାଦୀ ସଂଗଠନ ଛାଡି ଆତ୍ମସର୍ମପଣ କରିବାର ପ୍ରମୁଖ କାରଣ । ଆତ୍ମ ସମର୍ପଣ କରିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ୪ଲକ୍ଷ ଟଙ୍କା ସହାୟତା ରାଶି ମିଳିଥିବା ଏସ୍ପି କହିଛନ୍ତି।
ଏସପି ଙ୍କ ସୂଚନା ମୁତାବକ, ଅଜୟ ୨୦୦୯-୨୦୧୦ରେ ଛତିଶଗଡ଼, ୨୦୧୧-୨୦୧୪ ପର୍ଯ୍ୟନ୍ତ ମାଲକାନଗିରି-କୋରାପୁଟ ଏବଂ ୨୦୧୪-୨୦୨୪ ପର୍ଯ୍ୟନ୍ତ ନୂଆପଡ଼ା ଜିଲାରେ ବିଜିଏନ ଡିଭିଜନର ଘୁମସୁ ଏସିରେ କାର୍ଯ୍ୟରତ ଥିଲେ ।
ଅଜୟ କନ୍ଧମାଳ ଜିଲା କୋଟଗଡ଼ ଥାନାର ବଣ୍ଡିପାଙ୍ଗା ଗ୍ରାମର ମେଟଲା ରଇତଙ୍କ ହତ୍ୟା ମାମଲା, ମାର୍ଚ୍ଚ ୨୦୨୪ରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ହୋଇଥିବା ମେରାଗୁ ମାମଲା, ଶିରଲା ଇଓଏଫ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ମାମଲା ସମେତ ୨୦୨୨ରେ ଛତିଶଗଡ଼ ରାଜ୍ୟର ଯୋଡେଇପାଣି ଓଏଫ, ସିକସାର ଇଓଏଫ, କନ୍ଧମାଳ ଜିଲାରେ ହୋଇଥିବା ଚେଇପାଲି ଇଓଏଫ ଏବଂ କୋଡ଼ଙ୍ଗା ଇଓଏଫ ମାମଲାରେ ଜଡିତ ରହିଛନ୍ତି ।
