କେନ୍ଦ୍ରାପଡ଼ା,୦୬/୦୭/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ତହସିଲ ସ୍ତରରେ ରାଜସ୍ୱ ସମ୍ପର୍କିତ ଅଭିଯୋଗ ମାମଲାର ଶୀଘ୍ର ସମାଧାନ ଓ ସାଧାରଣ ଜନତାଙ୍କୁ ସୁବିଧା ଯୋଗାଇବା ଉଦ୍ଧେଶ୍ୟରେ ଜୁଲାଇ-୨୦୨୬ ମାସ ପାଇଁ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ତହସିଲ ସ୍ତରୀୟ ରାଜସ୍ୱ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜୁଲାଇ ୧୪ ତାରିଖ ପୂର୍ବାହ୍ନ ସାଢେ ୧୦ଟାରେ ଗରଦପୁର ତହସିଲରେ ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟ୍ ରଘୁରାମ ଆର. ଆୟର ଅଭିଯୋଗ ଶୁଣାଣି କରିବେ । ସେହିପରି ଜୁଲାଇ ୧୫ ତାରିଖ ପୂର୍ବାହ୍ନ ସାଢେ ୧୦ଟାରେ ମାର୍ଶାଘାଇ ତହସିଲରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଅଭିଯୋଗ ଶୁଣାଣି କରିବେ । ଆଳି ତହସିଲରେ ଜୁଲାଇ ୮ତାରିଖ ସାଢେ ୧୦ଟାରେ ଓ ଜୁଲାଇ ୨୨ତାରିଖ ସାଢେ ୧୦ଟାରେ କେନ୍ଦ୍ରାପଡା ତହସିଲରେ ଅତିରିକ୍ତ ଜିଲାପାଳ (ସାଧାରଣ) ଶ୍ରୀ ନବକୃଷ୍ଣ ଜେନା ଅଭିଯୋଗ ଶୁଣାଣି କରିବେ । ସେହିଭଳି ଜୁଲାଇ ୨୩ ତାରିଖ ପୂର୍ବାହ୍ନ ସାଢେ ୧୦ଟାରେ ଡେରାବିଶ ତହସିଲରେ ଉପ-ଜିଲାପାଳ ଅରୁଣ କୁମାର ନାୟକ ଅଭିଯୋଗ ଶୁଣାଣି କରିବେ ।
ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ତହସିଲଦାରଙ୍କୁ ଅଭିଯୋଗ ଶୁଣାଣି ସମ୍ପର୍କରେ ବ୍ୟାପକ ପ୍ରଚାର-ପ୍ରସାର କରିବା, ସମ୍ପୃକ୍ତ ଅଭିଯୋଗକାରୀଙ୍କୁ ପୂର୍ବରୁ ସୂଚନା ପ୍ରଦାନ କରିବା ଏବଂ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଜିଲାର ସମସ୍ତ ରାଜସ୍ୱ ସମ୍ପର୍କିତ ଅଭିଯୋଗକାରୀଙ୍କୁ ନିର୍ଦ୍ଧାରିତ ତାରିଖ ଓ ସ୍ଥାନରେ ଉପସ୍ଥିତ ରହି ନିଜ ଅଭିଯୋଗ ଉପସ୍ଥାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
