ଅଭିଯୁକ୍ତ ବାପ ପୁଅଙ୍କୁ ଗିରଫ ଦାବିରେ ଥାନା ଘେରାଉ

କେନ୍ଦ୍ରାପଡ଼ା, ୦୬/୦୭/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନରଣପଡ଼ା ଗ୍ରାମରେ ବାପ ପୁଅ ସାବଳରେ ଜଣେ ବ୍ୟବସାୟୀଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଛନ୍ତି । ସେହି ସାବଳମାଡରେ ଗୁରୁତର ଆଘାତପ୍ରାପ୍ତ ହୋଇ ମୃତୁ୍ୟ ସହିତ ସଂଗ୍ରାମ କରୁଛନ୍ତି ସେହି ଗ୍ରାମର ବ୍ୟବସାୟୀ ଶଶିକାନ୍ତ ଦାଶ । ଏହି ଘଟଣା ପରେ ସାରା ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ଅଭିଯୁକ୍ତ ବାପ ପୁଅଙ୍କୁ ତୁରନ୍ତ ଗିରଫ କରିବା ଓ ଗୁରୁତର ଆଘାତପ୍ରାପ୍ତ ହୋଇ ମୃତୁ୍ୟସହ ସଂଗ୍ରାମ କରୁଥିବା ଶଶିକାନ୍ତଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀମାନେ ସଦର ଥାନା ଘେରାଉ କରିଥିଲେ ।

ଖବରପାଇ ଘଟଣା ସ୍ଥଳରେ ଅତିରିକ୍ତ ଏସପି ସୁଧାକର ସାହୁ ଓ କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ପହଂଚି ଆନ୍ଦୋଳନରତ ଲୋକମାନଙ୍କ ସହ କଥାବାର୍ତା କରି ବୁଝାସୁଝା କରିଥିଲେ । ଏସଡିପିଓ ଶ୍ରୀ ଗୌଡ଼ ନରଣପଡା ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି । ସଦର ଥାନା ଅଧିକାରୀ ପଦ୍ମାଳୟା ପ୍ରଧାନଙ୍କ କହିବାନୁଯାୟୀ ପୂର୍ବ ଶତ୍ରୁତାକୁ ନେଇ ନରଣପୁର ଗ୍ରାମର ପ୍ରଦୀପ କିଶୋର ଦାଶ ଓ ତାଙ୍କ ପୁଅ ନିଳାଦ୍ରୀ ଦାଶ ଶଶିକାନ୍ତଙ୍କ ପନôୀ ସଂଘମିତ୍ରାଙ୍କୁ ଗାଳିଗୁଲଜ କରି ତାଙ୍କ ଘରର ଲୁହାଗେଟକୁ ସାବଳରେ ବାଡେଇ ଭାଙ୍ଗିଦେବାକୁ ଉଦ୍ୟମ କରିଥିଲେ । ଏ ନେଇ ସଂଘମିତ୍ରା ତାଙ୍କ ସ୍ୱାମୀଙ୍କୁ ଫୋନ କରି ଜଣାଇଥିଲେ ।

ଚାନ୍ଦୋଳ ବଜାରରେ ତେଜରାତି ଦୋକାନ କରିଥିବା ଶଶିକାନ୍ତ ଖବର ପାଇ ସେଙ୍ଗ ସେଙ୍ଗ ଘରକୁ ଆସିଥିଲେ । ହେଲେ ପୂର୍ବରୁ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ବାପ ପ୍ରଦୀପ ଓ ପୁଅ ନିଳାଦ୍ରୀ ଶଶିକାନ୍ତଙ୍କୁ ଦେଖି ସାବଳରେ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ଶଶିକାନ୍ତଙ୍କ ମୁଣ୍ଡରେ ସାବଳ ପ୍ରହାର ବସିବାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ତାଙ୍କୁ ସେଙ୍ଗ ସେଙ୍ଗ ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସେଠାରୁ ଭୁବନେଶ୍ୱର ସ୍ତାନାନ୍ତର କରାଯାଇଥିଲା ।

ସେ ଏବେ ଭୁବନେଶ୍ୱରର ଏକ ଚିକିତ୍ସାଳୟର ଆଇସିୟୁରେ ରହି ମୃତୁ୍ୟ ସହିତ ସଂଗ୍ରାମ ଜାରି ରଖିଛନ୍ତି । ଏ ନେଇ ଶଶିକାନ୍ତଙ୍କ ପତ୍ନୀ ସଂଘମିତ୍ରା ସଦର ଥାନାରେ ଏତଲା ଦେଇଛନ୍ତି । ସଂଘମିତ୍ରାଙ୍କ ଏତଲାକୁ ଭିତିକରି ସଦରଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ବାପ ପୁଅଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀମତୀ ପ୍ରଧାନ କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଶଶିକାନ୍ତଙ୍କୁୁ ବାପପୁଅ ପୂର୍ବରୁ ଅନେକ ଥର ଆକ୍ରମଣ କରିଛନ୍ତି । ଉଭୟ ପ୍ରଦୀପ କିଶୋର ଓ ନିଳାଦ୍ରୀଙ୍କ ଆକ୍ରମଣ ସମ୍ପର୍କରେ ଶଶିକାନ୍ତ ୮ଥରରୁ ଉଦ୍ଧ୍ୱର୍ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ଫଳରେ ସେମାନେ ଏଥିରେ ଉତ୍ସାହିତ ହୋଇ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଶଶିକାନ୍ତଙ୍କ ପତ୍ନୀ ସଙ୍ଘମିତ୍ରା ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *