ବାତ୍ୟା ‘ଅକୱାନ’ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

୧୧୫ଟି ଆଶ୍ରୟସ୍ଥଳୀରେ ୨୪,୮୭୩ ଜଣଙ୍କୁ ସ୍ଥାନାନ୍ତର

୧୩୦ଟି ସ୍ଥାୟୀ ଓ ୫୪୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ

କେନ୍ଦ୍ରାପଡ଼ା, ୧୯/୧୧/୨୦୨୬ (ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା ‘ଅକୱାନ’ର ମୁକାବିଲା ତଥା ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବିପଦପ୍ରବଣ ଅଂଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଆଶ୍ରୟସ୍ଥଳୀ ପ୍ରସ୍ତୁତି, ରିଲିଫ୍ ସାମଗ୍ରୀ ମହଜୁଦ ଏବଂ ଜରୁରୀକାଳୀନ ସେବାକୁ ସୁନିଶ୍ଚିତ କରିବା ଦିଗରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଜିଲାର ୯ଟି ବ୍ଲକ୍ ଓ ୨ଟି ପୌରାଳର ୩୬୫ଟି ବିପଦପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି ।

ଆଜି ଅପରାହ୍ନ ୪ଟା ୧୫ ମିନିଟ୍ ସୁଦ୍ଧା ମୋଟ ୨୪, ୮୭୩ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ୧୧୫ଟି ଆଶ୍ରୟସ୍ଥଳୀରେ ରଖାଯାଇଛି । ଏଥିରେ ୧୧,୬୦୬ ଜଣ ପୁରୁଷ, ୮,୭୭୮ ଜଣ ମହିଳା, ୨,୫୨୦ ଜଣ ବାଳକ ଏବଂ ୧,୯୬୯ ଜଣ ବାଳିକା ଅନ୍ତର୍ଭୁକ୍ତ ଅଛନ୍ତି । ବାତ୍ୟା ଆଶ୍ରୟ ଓ ଜନସାଧାରଣଙ୍କ ସୁରକ୍ଷିତ ରହଣି ପାଇଁ ଜିଲାରେ ୧୩୦ଟି ମଲ୍ଟିପର୍ପୋଜ୍ ସାଇକ୍ଲୋନ୍ ସେଲ୍ଟର/ମଲ୍ଟିପର୍ପୋଜ୍ ଫ୍ଲଡ୍ ସେଲ୍ଟର ଏବଂ ୫୪୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ଓ ଚିହ୍ନଟ କରାଯାଇଛି । ଏହାବ୍ୟତୀତ ୧୧୫ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇ ସ୍ଥାନାନ୍ତରିତ ଲୋକଙ୍କୁ ଆଶ୍ରୟ ଓ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି । ଗର୍ଭବତୀ ମହିଳାମାନଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି ।ଜିଲାରେ ୩୦୬ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ କରାଯାଇଥିବାବେଳେ ୧୪୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହି ସମୟ ମଧ୍ୟରେ ୨୧ ଜଣ ଗର୍ଭବତୀ ମହିଳାଙ୍କ ପ୍ରସବ ହୋଇଛି ।

ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି । ବାତ୍ୟା ପରବର୍ତୀ ସମୟରେ ରିଲିଫ୍ ବଂଟନ ଓ ଜରୁରୀକାଳୀନ ଆବଶ୍ୟକତା ପୂରଣ ପାଇଁ ୭୦୦ କ୍ୱିଂଟାଲ୍ ଚୁଡ଼ା, ୬୫ କ୍ୱିଂଟାଲ୍ ଗୁଡ଼ ଏବଂ ୬୦ ମେଟ୍ରିକ୍ ଟନ୍ ଗୋଖାଦ୍ୟ ମହଜୁଦ ରଖାଯାଇଛି । ଚାଉଳର ଆବଶ୍ୟକତା ଅନୁଯାୟୀ ଚାହିଦା ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଜିଲାରେ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଅଂଚଳରେ ନିୟୋଜିତ କରାଯାଇଛି । ଜିଲା ଜରୁରୀକାଳୀନ କାର୍ଯ୍ୟାଳୟ୨୪ ଘଂଟିଆ ସମନ୍ୱୟ ଓ ଜରୁରୀକାଳୀନ ସେବା ପରିଚାଳନା ପାଇଁ କାର୍ଯ୍ୟକ୍ଷମ ରହିଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି ।ବର୍ତମାନର ରିପୋର୍ଟ ଅନୁଯାୟୀ, ଜିଲାର କୌଣସି ବ୍ଲକ୍, ଗ୍ରାମ ପଂଚାୟତ, ଗ୍ରାମ କିମ୍ବା ପୌରାଂଚଳ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇନାହିଁ । କୌଣସି ଗ୍ରାମ ଜଳବନ୍ଦୀ ହୋଇନାହିଁ । ମାନବ ଜୀବନହାନି, ପଶୁସମ୍ପଦ କ୍ଷତି, ଫସଲ କ୍ଷତି କିମ୍ବା ଘର ଭାଙ୍ଗିବାର କୌଣସି ରିପୋର୍ଟ ମିଳିନାହିଁ ।

ଏପର୍ଯ୍ୟନ୍ତ ମାନବ ମୃତ୍ୟୁ ଓ ପଶୁ ମୃତ୍ୟୁ ଶୂନ୍ୟ ରହିଛି । ଜିଲାପାଳ   ରଘୁରାମ ଆର. ଆୟର ଜିଲାବାସୀଙ୍କୁ ଆତଙ୍କିତ ନହୋଇ ସତର୍କ ଓ ସଚେତନ ରହିବା ସହ ପ୍ରଶାସନ ପକ୍ଷରୁ ଜାରି ସମସ୍ତ ନିର୍ଦ୍ଧେଶାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି । ବିଶେଷକରି ବିପଦପ୍ରବଣ ଅଂଚଳରେ ରହୁଥିବା ଲୋକମାନେ ବିଳମ୍ବ ନକରି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଯିବା, ଗୁଜବରେ ବିଶ୍ୱାସ ନକରିବା ଏବଂ କେବଳ ସରକାରୀ ସୂଚନାକୁ ଅନୁସରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ବାତ୍ୟାର ପ୍ରତ୍ୟେକ ପରିସ୍ଥିତି ଉପରେ ନଜର ରଖାଯାଇଥିବାବେଳେ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ଯୋଗାଣ ପାଇଁ ସମସ୍ତ ବିଭାଗ ସମନ୍ୱିତ ଭାବେ କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *