ତାଳଚୁଆ ବାତ୍ୟା ଆଶ୍ରୟସ୍ଥଳରେ ଲୋକଙ୍କ ସହ ଆଲୋଚନା,
ରନ୍ଧାଖାଦ୍ୟର ମାନ ଓ ଆନୁଷଙ୍ଗିକ ବ୍ୟବସ୍ଥାର କଲେ ସମୀକ୍ଷା
କେନ୍ଦ୍ରାପଡ଼ା, ୧୯/୧୧/୨୦୨୬ (ଓଡ଼ିଶା ସମାଚାର)- ମ୍ଭାବ୍ୟ ବାତ୍ୟା “ଆକ୍ୱାନ୍’ ର ମୁକାବିଲା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଓ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ଉଦ୍ଧେଶ୍ୟରେ ଆଜି ଜିଲାପାଳ ରଘୁରାମ ଆର. ଆୟର ରାଜନଗର ବ୍ଲକ ଅନ୍ତର୍ଗତ ତାଳଚୁଆସ୍ଥିତ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ସେଠାକାର ସ୍ଥିତି ଓ ବ୍ୟବସ୍ଥାର ସମୀକ୍ଷା କରିଥିଲେ ।
ଏହି ଗସ୍ତ ସମୟରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଉପସ୍ଥିତ ଥିଲେ । ଜିଲାପାଳ ଆଶ୍ରୟସ୍ଥଳରେ ରହୁଥିବା ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସୁବିଧା, ଅସୁବିଧା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ । ଆଶ୍ରୟସ୍ଥଳରେ ଉପଲବ୍ଧ ରନ୍ଧାଖାଦ୍ୟର ମାନ ଓ ପରିମାଣ ମଧ୍ୟ ନିଜେ ଯାଂଚ କରିଥିଲେ । ଏଥିସହ ଆଶ୍ରୟସ୍ଥଳରେ ପାନୀୟ ଜଳ, ଖାଦ୍ୟ, ପରିମଳ, ଆଲୋକ ବ୍ୟବସ୍ଥା, ଶୌଚାଳୟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧାର ଉପଲବ୍ଧତା ସମ୍ପର୍କରେ ଜିଲାପାଳ ସମୀକ୍ଷା କରିଥିଲେ । ବିପଦ ସମୟରେ ଆଶ୍ରୟ ନେଇଥିବା ଲୋକଙ୍କୁ ଯେପରି କୌଣସି ପ୍ରକାର ଅସୁବିଧା ନହୁଏ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଆବଶ୍ୟକୀୟ ସମସ୍ତ ସୁବିଧା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁରକ୍ଷା, ନିରାପଦ ସ୍ଥାନକୁ ସ୍ଥାନାନ୍ତର ଏବଂ ଆଶ୍ରୟସ୍ଥଳ ଗୁଡ଼ିକରେ ଆବଶ୍ୟକୀୟ ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଜାରି ରହିଛି । ଜନସାଧାରଣଙ୍କ ସୁରକ୍ଷା ଓ ଶୂନ୍ୟ ଜୀବନହାନି ଲକ୍ଷ୍ୟ ନେଇ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିଛି ।
