ଭୁବନେଶ୍ୱର,୨୨/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶିକ୍ଷାବର୍ଷ ୨୦୨୬-୨୭ ସ୍ନାତକ ପାଠ୍ୟକ୍ରମ ନାମଲେଖାର (ଫେଜ୍-୧ ଆଡ଼ମିଶନ)ପ୍ରଥମ ମେଧା ତାଲିକା ଆଜି ପ୍ରକାଶିତ ହୋଇଛି। ପ୍ରଥମ ମେଧା ତାଲିକାରେ ରାଜ୍ୟର ୧,୭୮,୭୮୨ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି।
ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ମୋଟ୍ ୨,୮୭,୩୨୭ଟି ଆସନ ରହିଥିବାବେଳେ ୨,୩୭,୨୦୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ ମେଧା ତାଲିକାରେ ୧,୭୮,୭୮୨ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କମାନଙ୍କ ମଧ୍ୟରେ ୬୯,୧୮୨ ଜଣ ପୁଅ, ୧,୦୯,୫୯୧ ଜଣ ଝିଅ ଏବଂ ୯ ଜଣ ଟ୍ରାନ୍ସଜେଣ୍ଡର ଛାତ୍ରଛାତ୍ରୀ ଅଛନ୍ତି।
ପ୍ରଥମ ମେଧା ତାଲିକାରେ କଳାରେ ୧,୧୨,୮୨୨ ଜଣ, ବିଜ୍ଞାନରେ ୪୩,୬୯୩ ଜଣ, ବାଣିଜ୍ୟରେ ୧୫,୬୨୪ ଜଣ, ଶାସ୍ତ୍ରୀ ପାଠ୍ୟକ୍ରମରେ ୩,୩୭୧ଜଣ,
ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୩,୨୪୫ଜଣ ଏବଂ ଲ’ (ଆଇନ) ପାଠ୍ୟକ୍ରମ ପାଇଁ ୧୬୭ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।
ସର୍ବାଧିକ କଟ୍ ଅଫ ମାର୍କ
କଳା ପାଠ୍ୟକ୍ରମରେ ରାଜନୀତି ବିଜ୍ଞାନ ପାଇଁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ୯୪.୫୦% ପ୍ରତିଶତ କଟ୍ ଅଫ ମାର୍କ ରହିଛି। ସେହିପରି ଫିଜିକାଲ ସାଇନ୍ସରେ ଫିଜିକ୍ସ ପାଇଁ
ରେଭେନ୍ସା ବିଶ୍ୱ ବିଦ୍ୟାଳୟର ୯୬.୫୦% ପ୍ରତିଶତ ଏବଂ ବାୟୋଲୋଜିକାଲ ସାଇନ୍ସରେ ଜୁଲୋଜି (ପ୍ରାଣୀ ବିଜ୍ଞାନ) ପାଇଁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ୯୪.୮୩% ପ୍ରତିଶତ କଟ୍ ଅଫ ମାର୍କ ରହିଛି। ବାଣିଜ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ୮୯.୧୭%, ଶାସ୍ତ୍ରୀ ପାଠ୍ୟକ୍ରମରେ ବ୍ରଜକିଶୋର ସଂସ୍କୃତି ଡିଗ୍ରୀ ମହାବିଦ୍ୟାଳୟ, ଗଡ଼ବିଷ୍ଣୁପୁର ପାଇଁ ୬୭.୫୭%, ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କମ୍ପ୍ୟୁଟର ସାଇନ୍ସ ପାଇଁ ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ୱୟଂ ଶାସିତ) ମହାବିଦ୍ୟାଳୟ ପାଇଁ ୯୨%, ଲ’ (ଆଇନ) ପାଠ୍ୟକ୍ରମରେ ମଧୁସୂଦନ ଆଇନ ବିଶ୍ୱ ବିଦ୍ୟାଳୟର ୫ ବର୍ଷିଆ ଇଣ୍ଟିଗ୍ରେଟେଡ଼ ବିଏ ଏଲଏଲବି ପାଠ୍ୟକ୍ରମ ପାଇଁ ୮୯.୪୦% କଟ୍ ଅଫ ମାର୍କ ରହିଛି।
ପ୍ରଥମ ମେଧା ତାଲିକାରେ ଚୟନୀତ ଏବଂ “ଫ୍ରିଜ୍” ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀମାନେ ଜୁନ୍ ୨୩ ତାରିଖରୁ ଜୁନ୍ ୨୫ ତାରିଖ ମଧ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯାଇ ନିଜର ନାମଲେଖା ପ୍ରକ୍ରିୟା ସମ୍ପନ୍ନ କରିବେ। “ସ୍ଲାଇଡ୍/ଫ୍ଲୋଟ୍” ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀମାନେ ନିଜର ଆବଣ୍ଟିତ ଆସନ ପାଇଁ ନାମଲେଖା ଶୁଳ୍କ ଜମା କରି ଦ୍ୱିତୀୟ ପର୍ଯ୍ୟାୟ ଚୟନ ତାଲିକାକୁ ଅପେକ୍ଷା କରିବେ। ପ୍ରଥମ ପସନ୍ଦର ଅନୁଷ୍ଠାନରେ ଆସନ ପାଇଥିଲେ ମଧ୍ୟ ନାମ ଲେଖାଇବାକୁ ଇଚ୍ଛୁକ ନଥିବା ଛାତ୍ରଛାତ୍ରୀମାନେ ନୂତନ ଭାବେ ପ୍ରଚଳିତ ‘ଅଲ୍ଟର’ ବିକଳ୍ପ ମାଧ୍ୟମରେ ଓଟିପି (OTP) ଭିତ୍ତିକ ଯାଞ୍ଚ ଦ୍ୱାରା ନିଜ ପସନ୍ଦ ପରିବର୍ତ୍ତନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
-0-
ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
