ହିନ୍ଦୋଳରେ ପୁଣି ହାତୀ ଆକ୍ରମଣରେ ବୃଦ୍ଧ ମୃତ

(ଦୁଇ ଦିନରେ ଦୁଇ ମୃତ ,ହାତ ବାନ୍ଧି ବସିଛି ବନବିଭାଗ)

ହିନ୍ଦୋଳ,୧୯/୧୨/୨୦୨୪ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପାଲଟିଛି ହାତୀ ମାନଙ୍କ ନର ସଂହାର ର ପେଣ୍ଠସ୍ଥଳୀ। ହାତୀ ଆକ୍ରମଣରେ ଦୈନନ୍ଦିନ ଜଣେ ମୃତ୍ୟୁବରଣ କରିବା ନିର୍ବାଚନ ମଣ୍ଡଳୀ ପାଇଁ ସତେଯେପରି କୋଟା ହୋଇଯାଇଛି । ଦିନେ ତଳେ ହିନ୍ଦୋଳ ବ୍ଲକ ଗୁଳେହି ପଂଚାୟତ ବଙ୍ଗୁ ଗ୍ରାମର ଜଣେ ବୃଦ୍ଧଙ୍କୁ ଘର ସାମ୍ନାରୁ ଘୋଷାଡ଼ି ଜଣକୁ ବଣୁଆ ହାତୀ ହତ୍ୟା କରିଥିବାର ଦୁଖଃଦ ଘଟଣା ମନରୁ ନଯାଉଣୁ ଆଜି ହିନ୍ଦୋଳ ବ୍ଲକ ପାଇକାପୁରୁଣାକୁଟ ପଂଚାୟତ କଙ୍କାଳୁ ଗ୍ରାମର ସତୁରି ବର୍ଷୀୟ ଗିରିଶ ଚନ୍ଦ୍ର ବେହେରା ଘର ନିକଟ ନିଜ ବିଲରେ କାମ କରୁଥିବାବେଳେ ଅପରାହ୍ନ ୪ଟା ବେଳେ ହଟାତ ବଣୁଆ ହାତୀ ଆସି ଆକ୍ରମଣ କରିବା ସହ ଦଳି ଚକଟି ଦେବାରୁ ଘଟଣା ସ୍ଥଳରେ ଗିରିଶ ମୃତ୍ୟୁବରଣ କରିଥିଲେ। ହୋହାଲ୍ଲା ଶୁଣି ଗ୍ରାମବାସୀ ଦୌଡ଼ି ଆସିବାରୁ ହାତିଟି ନିକଟସ୍ଥ ଜଙ୍ଗଲକୁ ପଳାଇଯାଇଥିଲା ଏବଂ ଖବର ପାଇ ବନବିଭାଗ ଅଧିକାରୀ ଓ କର୍ମଚାରୀ ପହଂଚି ଥିଲେ ମଧ୍ୟ ଶବ ଜଗି ରଖି ଗ୍ରାମବାସୀ ମାନେ କ୍ଷୋଭ ପ୍ରକାଶ କରିଥିଲେ ଏବଂ ସେଠାରେ ଚାପା ଉତ୍ତେଜନା ଦେଖା ଯାଇଥିଲା। ତେବେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଏବେ ହାତୀ ଘେରରେ ଥିବାରୁ ବ୍ୟାପକ ଜନଜୀବନ ହାନି ସହ ଫସଲ ହାନି ହେଉଥିବାରୁ ଜନସାଧାରଣ ତ୍ରାହି ତ୍ରାହି ଡାକିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *