ତାମିଲନାଡୁ ର ସି-ଫୁଡ୍‌  କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍‌ ହୋଇ ୫ ଓଡିଆ ମହିଳା ଶ୍ରମିକଙ୍କ ମୃତ୍ୟୁ

୩ ଜଣ ବରିଷ୍ଠ ଅଧିକାରୀ ଙ୍କ ତାମିଲନାଡୁ ଗସ୍ତ , ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨/୦୬/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ତାମିଲନାଡୁର ତିରୁଭଲ୍ଲୁର ଜିଲା ଅନ୍ତର୍ଗତ ପେରିୟାପାଲାୟମ୍‌ ଠାରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ରପ୍ତାନି (ସି-ଫୁଡ୍‌) କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍‌ ହୋଇ ୫ ଓଡିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଜିମାନୀ ଜୁଆଙ୍ଗ, ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ, ଶିବାନୀ ଓ ଫୁଲମଣି ଜୁଆଙ୍ଗଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି। ସମସ୍ତ ମୃତକ ମହିଳା ଓ କେନ୍ଦୁଝର ଜିଲାର। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ଟିମ୍ ତାମିଲନାଡୁ ଗସ୍ତ କରିଛନ୍ତି। ମୃତଦେହ ଓଡିଶା ଆଣିବାକୁ ସରକାର ବ୍ୟବସ୍ଥା କରୁଛନ୍ତି।

ଏନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ରିପୋର୍ଟ ଅନୁଯାୟୀ​‌ ସେଣ୍ଟ ପିଟର୍ସ ପଲ୍‌ ସିଫୁଡ୍‌ ଏକ୍ସପୋର୍ଟ କମ୍ପାନୀରେ ଏହି ଅଘଟଣ ଘଟିଛି। ଏନଡିଆରଏଫ୍ ବାହିନୀ ସ୍ବତନ୍ତ୍ର ସୁରକ୍ଷା ପୋଷାକ ସହିତ କମ୍ପାନୀ ପରିସରରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। କମ୍ପାନୀ ପରିସରରେ ଓଡ଼ିଶା, ଆସାମ ଓ ଝାଡଖଣ୍ଡର ପ୍ରାୟ ୧୨୦ଜଣ ଶ୍ରମିକ ରହି କାମ କରୁଥିଲେ। ରବିବାର ଛୁଟି ଦିନ ସତ୍ତ୍ବେ କର୍ମଚାରୀମାନେ କମ୍ପାନୀ ପରିସରରେ ରହିଥିଲେ। ତେଣୁ ଗ୍ୟାସ୍ ଲିକ୍ ପ୍ରଭାବରେ କର୍ମଚାରୀମାନେ ପ୍ରାଣ ହରାଇଛନ୍ତି। ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ରୁ ଆମୋନିଆ ଗ୍ରାସ୍ ଲିକ୍ ହୋଇ ଚାରିଆଡକୁ ବ୍ୟାପୀ ଯାଇଥିଲା। ଏହା ସହିତ ଅସୁସ୍ଥଙ୍କ ମଧ୍ୟରେ ଅନେକ ଓଡିଆ ରହିଛନ୍ତି।

ଏହି ଘଟଣାରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏପରିକି ଆହତ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶୋକ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

https://x.com/CMO_Odisha/status/2068999368410337339
ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ତିରୁଭଲ୍ଲୁର ଯାତ୍ରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ କ୍ରମେ ଏକ ୩ ଜଣିଆ ଟିମ୍‌ ତାମିଲନାଡୁ ଗସ୍ତ କରିଛନ୍ତି। ଓଡ଼ିଶା ସରକାର ନିରନ୍ତର ତାମିଲନାଡୁ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି। ଗତକାଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଏପରିକି ଓଡ଼ିଆ ଶ୍ରମିକମାନଙ୍କ ଉପଯୁକ୍ତ ଚିକିତ୍ସା ଏବଂ ଅନ୍ୟାନ୍ୟ ସହାୟତା ଠିକ୍‌ ଭାବେ ମିଳି ପାରିବ ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *