ସୁଭଦ୍ରା ଶକ୍ତି ମେଳାରେ ଜି.ଆଇ ମାନ୍ୟତା ପ୍ରାପ୍ତ ଓ ଏକ ଜିଲ୍ଲା ଏକ ଉତ୍ପାଦର ଉଲ୍ଲେଖନୀୟ ପ୍ରଦର୍ଶନ

ଭୁବନେଶ୍ୱର,୦୬/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା ଷଷ୍ଠ ଦିନରେ ମଧ୍ୟ ଦର୍ଶକମାନଙ୍କୁ ମୁଗ୍ଧ କରିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୩୦୦ରୁ ଅଧିକ ଷ୍ଟଲ୍ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ଦ୍ବାରା ଅନନ୍ୟ ଉତ୍ପାଦଗୁଡିକ ପ୍ରଦର୍ଶିତ କରୁଛନ୍ତି ।

ପାରମ୍ପରିକ ହସ୍ତଶିଳ୍ପ ଏବଂ କଳାକୃତିଠାରୁ ଆରମ୍ଭ କରି ଜୈବିକ ଉତ୍ପାଦ, ମା’ ମାନଙ୍କ ହାତ ରନ୍ଧା ଖାଦ୍ୟ, ଆସବାବପ‌ତ୍ର ଏବଂ ସାଜସଜ୍ଜା ସାମଗ୍ରୀ ପର୍ଯ୍ୟନ୍ତ, ସୁଭଦ୍ରା ଶକ୍ତି ମେଳା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗିତା ପାଇଁ ଏକ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି ।

 

ଷଷ୍ଠ ଦିନର ସବୁଠାରୁ ବଡ ଆକର୍ଷଣ ଥିଲା ଜି.ଆଇ ମାନ୍ୟତା ପ୍ରାପ୍ତ ଏବଂ( ୱାନ ଡିଷ୍ଟ୍ରିକ ୱାନ୍ ପ୍ରଡକ୍ଟ) ବା ଏକ ଜିଲ୍ଲା ଏକ ଉତ୍ପାଦ ପ୍ରଦର୍ଶନୀ, ଯେଉଁଠାରେ ଦର୍ଶକମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ଏବଂ ନିର୍ମିତ ଉତ୍ପାଦର ଏକ ଅନନ୍ୟ ଆକର୍ଷଣ ଦେଖ‌ିବାକୁ ପାଉଛନ୍ତି ।

 

ଆଜିର ମୁଖ୍ୟ ଆକର୍ଷଣ ମଧ୍ୟରେ ଥିଲା ପିପିଲି ଚାନ୍ଦୁଆ ,କୋରାପୁଟ କଫି, କନ୍ଧମାଳ ହଳଦୀ, ପୁରୀ ରଘୁରାଜପୁରର ପଟ୍ଟଚିତ୍ର, କଟକର ତାରକସି ଓ ଧୋକ୍ରା ଶିଳ୍ପ, ସୁବର୍ଣ୍ଣପୁରର ପାଟ ଶାଢ଼ୀ, ଭଦ୍ରକର ଶୁଖୁଆ ମାଛ,ସମ୍ବଲପୁରୀ ହସ୍ତତନ୍ତ, କେନ୍ଦ୍ରାପଡ଼ାର ଗୋଲଡେନ୍ ଗ୍ରାସ୍ (ସୁବର୍ଣ୍ଣ ଘାସ) ଉତ୍ପାଦ ଇତ୍ୟାଦି । ଏହି ଉତ୍ପାଦଗୁଡିକ ଓଡ଼ିଶାର କାରିଗରୀ କୌଶଳକୁ ପ୍ରତିଫଳିତ କରିବା ସହିତ ଲକ୍ଷ ଲକ୍ଷ ମହିଳା ଉଦ୍ୟୋଗୀମାନଙ୍କୁ ନିଜ ଉତ୍ପାଦ ପ୍ରଦର୍ଶନ କରିବା ପାଇଁ ଏକ ବିଶାଳ ମଞ୍ଚ ପ୍ରଦାନ କରୁଛି। ଏହି ଉତ୍ପାଦମାନଙ୍କ ପ୍ରତି ବଢୁଥିବା ଚାହିଦା ଲୋକମାନଙ୍କ ମଧ୍ୟରେ ସ୍ୱଦେଶୀ ଉତ୍ପାଦ ପ୍ରତି ବୃଦ୍ଧିଶୀଳ ଚାହିଦାକୁ ପ୍ରକାଶ କରୁଛି।

Leave a Reply

Your email address will not be published. Required fields are marked *