ଜଗତସିଂହପୁର,୧୪/୧୧/୨୦୨୬(ଓଡ଼ିଶା ସମାଚାର) – ଜଗତସିଂହପୁର ସଦର ମହକୁମା ଅନ୍ତର୍ଗତ ଜୟବଡ଼ ସ୍ଥିତ ସାଇ ଜ୍ଞାନ ପ୍ଲେ ସ୍କୁଲ ପରିସରରେ ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀଙ୍କ ତତ୍ତ୍ୱାବଧାନରେ ମହାସମାରୋହରେ ଶିଶୁ ଦିବସ ପାଳିତ ହୋଇଯାଇଛି।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିବ୍ୟ ରଞ୍ଜନ ନାଥ ଏବଂ ସମ୍ମାନିତ ଅତିଥି ଭାବେ ସବ୍-ଇନ୍ସପେକ୍ଟର ରଶ୍ମି ରଞ୍ଜନ ସାହୁ ଯୋଗଦେଇ କାର୍ଯ୍ୟକ୍ରମର ଗାରିମା ବୃଦ୍ଧି କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଚୌଧୁରୀ କହିଥିଲେ ଯେ, ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ ଓ ଅମୂଲ୍ୟ ସମ୍ପଦ। ସେମାନଙ୍କୁ ଉଚିତ ମାର୍ଗରେ ଗଢ଼ିତୋଳିବା ପରିବାର, ସମାଜ ଏବଂ ବିଦ୍ୟାଳୟର ଗୁରୁଦାୟିତ୍ୱ। ଶିଶୁମାନେ କୋମଳ, ନିଷ୍ପାପ ଓ ସରଳ ଫୁଲକଢ଼ି ସଦୃଶ। ସେମାନଙ୍କ ମଧ୍ୟରେ ଆସନ୍ତାକାଲିର ଭାରତର ଭବିଷ୍ୟତ ନିହିତ ରହିଛି। ତେଣୁ ସେମାନଙ୍କୁ ଉତ୍ତମ ମାନବୀୟ ଗୁଣ, ନୈତିକ ମୂଲ୍ୟବୋଧ ଓ ଶୃଙ୍ଖଳାରେ ଗଢ଼ିତୋଳିବା ଆମ ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ। ଏଥିସହିତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନରେ ଆଗକୁ ବଢ଼ିବାକୁ ସେ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ।
ମୁଖ୍ୟ ଅତିଥି ଦିବ୍ୟ ରଞ୍ଜନ ନାଥ ନିଜ ଅଭିଭାଷଣରେ ଶିଶୁମାନଙ୍କୁ ଦେଶର ଅମୂଲ୍ୟ ସମ୍ପଦ ଭାବେ ଅଭିହିତ କରିଥିଲେ। ପିଲାଦିନ ଜୀବନର ସବୁଠାରୁ ମୂଲ୍ୟବାନ ସମୟ ବୋଲି ଉଲ୍ଲେଖ କରି ସେହି ସମୟରୁ ହିଁ ପିଲାମାନଙ୍କ ମଧ୍ୟରେ ଭଲ ଅଭ୍ୟାସ, ଶୃଙ୍ଖଳା, ସତ୍ୟବାଦିତା ଓ ମାନବିକତାର ବିକାଶ ହେବା ଆବଶ୍ୟକ ବୋଲି କହିଥିଲେ। ପାଠପଢ଼ା ସହିତ ଖେଳକୁଦ, ସୃଜନଶୀଳତା ଓ ନୈତିକ ଶିକ୍ଷାକୁ ସମାନ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ। ଶିଶୁମାନେ ନିଜର ଲକ୍ଷ୍ୟ ସ୍ଥିର କରି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବା ସହ ଜଣେ ଉତ୍ତମ ମଣିଷ ହେବାକୁ ଉଦ୍ୟମ କରିବା ଉଚିତ ବୋଲି ସେ ମତପ୍ରକାଶ କରିଥିଲେ।
ସେହିପରି ସମ୍ମାନିତ ଅତିଥି ରଶ୍ମି ରଞ୍ଜନ ସାହୁ ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଓ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଭଲ ପାଠ ପଢ଼ିବା ସହ ଗୁରୁଜନଙ୍କୁ ସମ୍ମାନ ଦେବା, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପରାମର୍ଶ ମାନିବା ଏବଂ ଜଣେ ଭଲ ମଣିଷ ହେବାକୁ ସେ ପିଲାମାନଙ୍କୁ ଉପଦେଶ ଦେଇଥିଲେ। ଶିଶୁମାନଙ୍କ ପ୍ରତି ପରିବାର ଓ ସମାଜର ସ୍ନେହ, ଯତ୍ନ ଓ ସଚେତନତା ଅତ୍ୟନ୍ତ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।
ଶିଶୁ ଦିବସ ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ବିଭିନ୍ନ ଆକର୍ଷଣୀୟ କୌତୁକ ବେଶରେ ସଜ୍ଜିତ ହୋଇ ବିଦ୍ୟାଳୟକୁ ଆସିଥିଲେ। ସେମାନଙ୍କ ମନୋରମ ବେଶଭୂଷା ଓ ଉତ୍ସାହପୂର୍ଣ୍ଣ ଉପସ୍ଥିତି ସମସ୍ତଙ୍କ ମନ ମୋହିଥିଲା। ବିଦ୍ୟାଳୟ ପକ୍ଷରୁ ସମସ୍ତ ଶିଶୁଙ୍କୁ ଉପହାର ପ୍ରଦାନ କରାଯାଇଥିଲା। କୁନି କୁନି ଛାତ୍ରଛାତ୍ରୀମାନେ ଏହି ଦିବସକୁ ଆନନ୍ଦ ଓ ଉଲ୍ଲାସର ସହ ଉପଭୋଗ କରିଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ଶିକ୍ଷୟିତ୍ରୀ ସୁଶ୍ରୀ ସଙ୍ଗୀତା, ପ୍ରାଚୀ ପୂଣ୍ୟତୋୟା, ଲିପ୍ସା ମହାନ୍ତି, ସୋନମ ପ୍ରିୟଦର୍ଶିନୀ, ସୌଭାଗ୍ୟଲକ୍ଷ୍ମୀ, ଶ୍ରୀଲେଖା ପାଢ଼ୀ, ଶକ୍ତି ସ୍ୱରୂପା ଏବଂ ପରିଚାଳିକା ସୁଜାତା ନନ୍ଦୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏଥିରେ ବହୁ ଅଭିଭାବକ ଉପସ୍ଥିତ ରହି ଶିଶୁମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ।
